ଓଡିଶା

odisha

ନିଜ ଜିଲ୍ଲା କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଗୁରୁତ୍ବ, ଧରଣୀଧର ବିଶ୍ବବିଦ୍ୟାଳୟ ବିକାଶ ପାଇଁ ନିର୍ଦ୍ଦେଶ - DHARANIDHAR UNIVERSITY DEVELOPMENT

By ETV Bharat Odisha Team

Published : Aug 23, 2024, 11:45 AM IST

Odisha CM orders to take forward Development Work of Dharanidhar University: ଧରଣୀଧର ବିଶ୍ବବିଦ୍ୟାଳୟ ଓ କେନ୍ଦୁଝର ଜିଲ୍ଲାରେ ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ସ୍ବୟଂସମ୍ପୂର୍ଣ୍ଣ ହେବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ,

Odisha CM review meeting
Odisha CM review meeting (Etv Bharat)

ଭୁବନେଶ୍ୱର:ନିଜ ଜିଲ୍ଲାର ବିକାଶ ଉପରେ ଫୋକସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ବବିଦ୍ୟାଳୟ ଓ କେନ୍ଦୁଝର ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ଅଛି, ତାହା ପୂରଣ କରାଯିବ ବୋଲି କହିଛନ୍ତି ମୋହନ ମାଝୀ । ଗତକାଲି ଲୋକସଭା ଭବନଠାରେ ମୋହନ ଚରଣ ମାଝୀ, ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ ।

Odisha CM orders to take forward Development Work of Dharanidhar University (Etv Bharat)
ଦୁଇ ବର୍ଷ ମଧ୍ୟରେ ସ୍ବୟଂସମ୍ପୂର୍ଣ୍ଣ ହେବ ବିଶ୍ବବିଦ୍ୟାଳୟ:

2023 ଫେବ୍ରୁୁଆରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବ ବିଦ୍ୟାଳୟ ଭାବେ ନାମିତ ହୋଇଥିଲା । ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଜିଲ୍ଲାର ୩୮ଟି କଲେଜ ଅନୁବନ୍ଧିତ ରହିଛି । କିନ୍ତୁ ବିଶ୍ବବିଦ୍ୟାଳୟ ଭାବେ ଯେଉଁସବୁ ମୌଳିକ ସୁବିଧା ସୁଯୋଗ ଓ ଉନ୍ନତି ହେବା କଥା ତାହା ଅଦ୍ୟାବଧି ହୋଇପାରିନାହିଁ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ରହିଛି, ତାକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସଭା ଉପନିର୍ବାଚନରେ 2 ପ୍ରାର୍ଥୀ ଦ୍ବନ୍ଦ୍ବ, ବିରୋଧୀଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଲେ ଜଗନ୍ନାଥ - Politics On Jagannath Nomination

ପ୍ରସ୍ତୁତ ହେବ ବିଶ୍ବସ୍ତରୀୟ ମାଷ୍ଟରପ୍ଲାନ:

ନୂତନ ଭାବେ ନିର୍ମିତ ହୋଇଥିବା ବିଶ୍ବବିଦ୍ୟାଳୟର ସାଉଥ ବ୍ଲକର ଆସବାବପତ୍ର ପାଇଁ ଏବଂ ନର୍ଥ ବ୍ଲକ୍‌ର ନବୀକରଣ ପାଇଁ ଆବଶ୍ୟକୀୟ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ (DMF) ଏବଂ ଓଡିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC) ପାଣ୍ଠିରୁ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବୀକରଣ ନିହାତି ଆବଶ୍ୟକ ନଥିଲେ, ପୁରାତନ କୋଠାକୁ ନ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ରହିଛି। ଏସବୁ କାମ ପାଇଁ ଏକ ବିଶ୍ବସ୍ତରୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ । ନବୀକରଣ ପାଇଁ ଆବଶ୍ୟକ ହେଉଥିବା ଜମି ପାଇଁ ଜବରଦଖଲ ହଟାଇବା ସହ ସେମାନଙ୍କର ଥଇଥାନ ବ୍ୟବସ୍ଥାକୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ନିର୍ମାଣଧୀନ ସାଉଥ ବ୍ଲକ୍‌ର ସମସ୍ତ କାର୍ଯ୍ୟ ବିଶ୍ବସ୍ତରୀୟ କରିବା ପାଇଁ ମୋହନ ମାଝୀ ଇଡ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ ।

Odisha CM review meeting (ETV BHARAT ODISHA)


୬ ମହଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ:

ଛାତ୍ରାବାସଗୁଡିକ ବହୁତ ପୁରୁଣା ହୋଇ ଶୋଚନୀୟ ଅବସ୍ଥାରେ ରହିଛି। ତେଣୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬ ମହଲା ବିଶିଷ୍ଟ ୬ଟି ହଷ୍ଟେଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶ୍ବବିଦ୍ୟାଳୟ ପାଇଁ ଯଥାଶୀଘ୍ର ପରୀକ୍ଷା ନିୟନ୍ତ୍ରକ, ରେଜିଷ୍ଟ୍ରାର୍‌ ଓ ବିତ୍ତ ନିୟନ୍ତ୍ରକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଭବିଷ୍ୟତକୁ ଆଖି ଆଗରେ ରଖି ବିଶ୍ବବିଦ୍ୟାଳୟ ପାଇଁ ଅଧିକ ଜମି ବନ୍ଦୋବସ୍ତ କରାଯିବ ।

Odisha CM review meeting (ETV BHARAT ODISHA)


ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରତାପ କୁମାର ମହାନ୍ତି ଏବଂ ଆଭାସି ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details