ଓଡିଶା

odisha

ETV Bharat / state

ସୁନ୍ଦରଗଡ଼କୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM MOHAN MAJHI

ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୧୨ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ୨୮୮ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

CM Mohan Sundergarh
CM Mohan Sundergarh (ETV Bharat Odisha)

By ETV Bharat Odisha Team

Published : Nov 24, 2024, 9:58 PM IST

ଭୁବନେଶ୍ବର: ସୁନ୍ଦରଗଡ଼ରେ ଝଲସିବ ବିକାଶର ସୁନେଲି କିରଣ । ଜିଲ୍ଲା ପାଇଁ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସୁନ୍ଦରଗଡ଼ର ବିକାଶ ପାଇଁ ୩୧୨ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ୨୮୮ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ସହ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ବ୍ୟୟ ଅଟକଳରେ ୬୯୨ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସିନ୍ଦରଗଡ଼ ଜିଲ୍ଲାରେ 'ସୁଭଦ୍ରା ଯୋଜନାର'ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମଞ୍ଚରୁ ସିଧାସଳଖ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।

ସୁନ୍ଦରଗଡ଼ରେ ଶିକ୍ଷା ବିକାଶ:

ସୁନ୍ଦରଗଡ଼ରେ ଶିକ୍ଷା ବିକାଶ ପାଇଁ ଚଳିତ ଶିକ୍ଷା ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ୩୮୪ଟି ବିଦ୍ୟାଳୟର ୧୧ ହଜାର ୬୬୩ ଜଣ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଛି । ଏହାସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଦିଆଯିବ । ଏଥିରେ ୫୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବ । ଏଥିପାଇଁ ଆର୍ଥିକ ସହଯୋଗ ଯୋଗାଇବ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା DMF । ସେହିପରି ୮୮୮୯ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ । DMF ପକ୍ଷରୁ ସିଧାସଳଖ ବ୍ୟଙ୍କ ଦ୍ବାରା ଛାତ୍ରବୃତ୍ତି ଦିଆଯିବ ।

୨୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ:

ସୁନ୍ଦରଗଡ଼ ଜିଲ୍ଲାର ଅସୁରକ୍ଷିତ ପୋଷଣ ଅଞ୍ଚଳରେ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଜିଲ୍ଲାରେ ୭୬୧ଟି କଳିକା କେନ୍ଦ୍ର ସ୍ଥାପନ କରାଯିବ । ଏହାଦ୍ବାରା ଜିଲ୍ଲାର ୧୫ ହଜାର ୨୨୦ ଜଣ ଶିଶୁ ଉପକୃତ ହେବେ । ତେବେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୩୧୨ କୋଟି ୩ ଲକ୍ଷ ୧ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ବ୍ୟୟ ଅଟକଳରେ ୬୯୨ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • ୧୦୧ଟି ଅଙ୍ଗଲୱାଡ଼ି କେନ୍ଦ୍ର ବ୍ୟୟ ୧୪୦୯.୯ ଲକ୍ଷ
  • ୩୧ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ବ୍ୟୟ ୯୩୦ ଲକ୍ଷ
  • ୬୪ଟି ହଷ୍ଟେଲ ନିର୍ମାଣ ବ୍ୟୟ ୧୯୨୬୬.୮ ଲକ୍ଷ
  • ୩୫ଟି ପକ୍କା ରାସ୍ତା ନିର୍ମାଣ ବ୍ୟୟ ୫୩୫୬.୭ ଲକ୍ଷ
  • ୯ଟି ବିଦ୍ୟାଳୟ ବ୍ୟୟ ୪୬୦.୩୧ଲକ୍ଷ
  • ୩ଟି ରୋଷେଇ ଘର ନିର୍ମାଣ ବ୍ୟୟ ୨୦.୨୨ ଲକ୍ଷ
  • ୧୭ଟି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ବ୍ୟୟ ୧୧୮୪.୭୮ ଲକ୍ଷ
  • ୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟୟ ୨୧୭.୭୮ ଲକ୍ଷ
  • ୨୨ଟି ଅନ୍ୟାନ୍ୟ ବିକାଶ ମୂଳକ ଯୋଜନା ବ୍ୟୟ ୨୩୫୫.୫୫ ଲକ୍ଷ

ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ:

ସେପଟେ କାର୍ଯ୍ୟକ୍ରମ ମଞ୍ଚରୁ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ପୂର୍ବ ସରକାର ମିଶନ ଶକ୍ତିର ଖୁବ ପ୍ରଚାର କରିଥିଲେ । ସେଥିରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି ବୋଲି ଡିଣ୍ଡିମ ପିଟୁଥିଲେ । କିନ୍ତୁ ସିଧାସଳଖ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଆର୍ଥିକ ସହାୟତା ଦେଉନଥିଲେ । ମିଶନ ଶକ୍ତିରେ କୋବଳ ସୁଧ ମୁକ୍ତ ଋଣ ମିଳୁଥିଲା । ହେଲେ ଆମ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଦବେ । ଏହାସହ ୨୦୧୫-୧୬ ମସିହାରେ ଚାଷୀମାନଙ୍କୁ କ୍ବିଣ୍ଟାଲ ଧାନ ପିଛା ୧୦୦ ଟଙ୍କା ବୋନସ ଦେବା ପାଇଁ ନବୀନ ପଟ୍ଟନାୟକ ସରକାର ଘୋଷଣା କରିଥିଲେ । ଚାଷୀଙ୍କୁ ୧ ଟଙ୍କା ମିଳିଲା ନାହିଁ । ବିଜେଡି ସରକାର କେବଳ ଘୋଷଣା କରନ୍ତି, ହେଲେ କାମରେ କରି ଦେଖାନ୍ତିନାହିଁ । ବିଜେଡି ମିଛ କଥା କହି ଭୋଟ ନେବା ସହ କିଛି କାମ କରନ୍ତି ନାହିଁ ।"

ଜବାବ ରଖିଲା ବିଜେଡି:

BJD On CM Mohan Majhi (ETV Bharat Odisha)

ସେପଟେ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଲେ ସେଥିରେ ଅପରିପକ୍ୱତାର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ଲେଲିନ । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, "ଗତ ସରକାରରେ ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ମହିଳାଙ୍କ ସ୍ୱାବଲମ୍ବୀ ହେବାକୁ ସହି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ଶାସିତ ଅଲଗା ରାଜ୍ୟରେ ମହିଳାମାନଙ୍କ ପାଇଁ ହୋଇଥିବା ଯୋଜନାରେ ପ୍ରତି ମହିଳା ପିଛା ବାର୍ଷିକ ଅନୁଦାନ ଅଧିକ ଥିବା ବେଳେ ଓଡିଶାରେ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର କାହିଁକି ।"

ଏହା ମଧ୍ୟ ପଢ଼ନ୍ତୁ...୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା, ପାଇଲେ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଲେଲିନ ମହାନ୍ତି ଆହୁରି କହିଛନ୍ତି, "ସିଙ୍ଗାପୁର ଗଲା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ପଇସା ଆସିବ । ଯିଏ ଓଡିଶାରୁ ଲୁଚିକି ଯାଇଛି, ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିଛନ୍ତି । ଚିକିଟି ମଦ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ୨୪ ସେପ୍ଟେମ୍ବରରେ ଗୋଟିଏ ନୋଟିସ କାଢିଲେ । ହେଲେ ଆଜି ଏବେ ୨୪ ନଭେମ୍ବର ହେଲାଣି କୌଣସି ରିପୋର୍ଟ ଆସିଲା ନାହିଁ । ଏହା ଦର୍ଶାଉଛି ମୁଖ୍ୟମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦିଆଯାଉନାହିଁ । ଏ ସରକାର ସମୟରେ ଆଦିବାସୀ, ମହିଳା, ଯୁବକ ସମସ୍ତେ ଅସୁରକ୍ଷିତ । ଆଶା କରିବୁ ଆଗାମୀ ଦିନରେ ଯେତେବେଳେ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେବେ, ସେତେବେଳେ ଚେଷ୍ଟା କରିବେ ଯେ, ପୂର୍ବ ସରକାରଙ୍କୁ ଦୋଷ ନ ଦେଇ ଏବେକାର ସରକାର କ'ଣ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details