ଭୁବନେଶ୍ୱର :ଚଳିତ ମାସ ୧୬ ତାରିଖରେ ଯୁକ୍ତ ଦୁଇ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଦୁଇ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ସୂଚାରୁରୂପେ ସମ୍ପାଦାନ କରିବା ପାଇଁ ଲୋକସେବା ଭବନରେ ବସିଥିଲା ସମୀକ୍ଷା ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପରୀକ୍ଷା ପରିଚାଳନା ବୈଠକ ଭିସି ଜରିଆରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପରିଚାଳନକୁ ଶୂନ୍ୟ ସହନଶୀଳତା ରଖିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ପରୀକ୍ଷା ପରିଚାଳନକୁ ଶୂନ୍ୟ ସହନଶୀଳତା ଭାବରେ ସର୍ବାଧିକ ଗୁରୁତ୍ଵ ଦେବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ସାମାନ୍ୟ ତ୍ରୁଟିକୁ ବରଦାସ୍ତ କରାଯିବନାହିଁ । ପରୀକ୍ଷା ପ୍ରଶ୍ନ ପତ୍ର ନୋଡାଲ ସେଣ୍ଟରରେ କଡା ସୁରକ୍ଷା ବଳୟ ମଧ୍ୟରେ ଯତ୍ନର ସହିତ ରଖାଯିବ । ପରୀକ୍ଷା ଅନୁଷ୍ଠିତ ହେଉଥିବା କେନ୍ଦ୍ରରେ ନିୟୋଜିତ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ପ୍ରଶ୍ନପତ୍ର ଗ୍ରହଣ କରିବେ । ପରୀକ୍ଷା ଦିନରୁ ଆରମ୍ଭ କରି ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ରଖାଯିବ । ପରୀକ୍ଷା ସମ୍ପର୍କିତ ସବୁ କାର୍ଯ୍ୟ ନିର୍ଭୁଲ ଭାବରେ ପରିଚାଳିତ ହେବ ସେସବୁ ବ୍ୟବସ୍ଥାକୁ କଡାକଡି ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପରୀକ୍ଷା ଦାଇତ୍ୱରେ ଥିବା ଅଧିକାରୀ, ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଏବଂ ଏସପିଙ୍କୁ ପରାମର୍ଶ ଦେଇଛନ୍ତି । ମାଟ୍ରିକ ପରୀକ୍ଷାରେ 551611 ଜଣ, ମୁକ୍ତ ବିଦ୍ୟାଳୟରେ 7831 ଜଣ, ମାଧ୍ୟମାରେ 3037 ଜଣଙ୍କୁ ମିଶାଇ ମୋଟ 562000 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ଯୁକ୍ତ ଦୁଇ ପରୀକ୍ଷାରେ 237750 ଜଣ କଳା, 116620 ଜଣ ବିଜ୍ଞାନ, 26089 ଜଣ ବାଣିଜ୍ୟ ଓ 5791 ଜଣ ଧନ୍ଦାମୂଳକକୁ ମିଶାଇ 386250 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ମାଟ୍ରିକ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାକୁ ମିଶାଇ 3047 ଟି ପରୀକ୍ଷା କେନ୍ଦ୍ର ଓ 313 ଟି ନୋଡାଲ ସେଣ୍ଟର କରାଯାଇଛି । ସେହିପରି +2 ରେ 202 ଟି ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଛି ।