ଓଡିଶା

odisha

ETV Bharat / state

ମୋହନ ସରକାରର ପ୍ରଥମ ବଜେଟ ଅଧିବେଶନ; ସହଯୋଗ ଲୋଡ଼ିଲେ ବାଚସ୍ପତି - All Party Meeting - ALL PARTY MEETING

All Party Meeting: ସୋମବାରଠୁ ଆରମ୍ଭ ହେବ ମୋହନ ସରକାରର ପ୍ରଥମ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ । ଅଧିକ ପଢ଼ନ୍ତୁ

All Party Meeting
All Party Meeting (ETV Bharat Odisha)

By ETV Bharat Odisha Team

Published : Jul 21, 2024, 6:48 PM IST

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ । ହେଲେ ସର୍ବଦଳୀୟ ବୈଠକରେ କଂଗ୍ରେସର କିନ୍ତୁ ଜଣେ ବି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଶୃଙ୍ଖଳାର ସହ କିପରି ଗୃହକାର୍ଯ୍ୟ ପରିଚାଳିତ ହେବ, ସେନେଇ ମୁଖ୍ୟତଃ ବୈଠକରେ ଆଲୋଚନା ହୋଇଛି ।

All Party Meeting (ETV Bharat Odisha)

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ:-

ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୁରମା ପାଢୀ କହିଛନ୍ତି, "ଚଳିତ ସପ୍ତଦଶ ବିଧାନସଭା ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିବେଶନ କିପରି ସୁଚାରୁ ରୂପେ ସମ୍ପାଦନ ହେବ, ସେଥିପାଇଁ ସମସ୍ତଙ୍କ ମତାମତକୁ ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଗଲା । ଆସନ୍ତାକାଲି ସକାଳ 11ଟାରୁ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ ।"

ସହଯୋଗ କରିବ ବିଜେଡି:-

ଆଜି ବସିଥିବା ସର୍ବଦଳୀୟ ବୈଠକରେ ରାଜ୍ୟର ମୁଖ୍ୟ ବିରୋଧୀ ବିଜେଡିରୁ ଯୋଗ ଦେଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏହା ପୂର୍ବରୁ ବୈଠକରେ ଯୋଗ ଦେବାପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ହେଲେ ନବୀନ ନିଜେ ନଆସି ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ପଠାଇଥିଲେ । ତେବେ ବୈଠକ ପରେ ପ୍ରମିଳା କହିଛନ୍ତି, "ସର୍ବଦଳୀୟ ବୈଠକରେ ଗୃହ ସୁଚାରୁ ରୂପେ ଚାଲିବା ନେଇ ଆଲୋଚନା ହୋଇଛି । ବଜେଟ ଆଲୋଚନା, ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ଶୃଙ୍ଖଳାର ସହ ଅଧିବେଶନ ହେବ, ତାହା ଆଲୋଚନା ହୋଇଛି ।"

'ସୁଚାରୁ ରୂପେ ଚାଲିବ ଗୃହ':-

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଆସନ୍ତାକାଲି ଠାରୁ ନୂଆ ସରକାରଙ୍କ ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଆଜି ସକାଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଘରକୁ ଯାଇ ସର୍ବଦଳୀୟ ବୈଠକରେ ଯୋଗ ଦେବା ସହ ସବୁ ଅଧିବେଶନରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଁ ପିସିସି ସଭାପତି ଦାୟିତ୍ବରେ ଥିବା ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିଲି । ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ବି କଥା ହୋଇଥିଲି । ସେମାନେ କେହି ଆସିପାରିଲେ ନାହିଁ । ତେବେ ଆଜି ନିଷ୍ପତ୍ତି ହୋଇଛି, ବିଧାନସଭା ନିୟମ ଅନୁସାରେ, ସୁଚାରୁ ରୂପେ ଗୃହକାର୍ଯ୍ୟ ଚାଲିବ । ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ସେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।"

ଯୋଗ ଦେଲାନି କଂଗ୍ରେସ:-

ଆଜି କଂଗ୍ରେସର ବିଧାୟକ ଦଳ ନେତା ଚୟନ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛି ଏଆଇସିସି । ସେହିଭଳି ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କୁ ବିଧାୟକ ଦଳ ଉପନେତା ଓ ରାଜଗାଙ୍ଗପୁର ବିଧାୟକ ସିଏସ୍‌ ରାଜନ ଏକ୍କାଙ୍କୁ ମୁଖ୍ୟ ସଚେତକ ଭାବେ ମିଳିଛି ଦାୟିତ୍ବ । ହେଲେ ସର୍ବଦଳୀୟ ବୈଠକ ବସିବା ବେଳକୁ କଂଗ୍ରେସର ବିଧାୟକ ଦଳ ନେତା ଚୟନ ହୋଇନଥିଲା । ସେଥିପାଇଁ ଆଜିର ସର୍ବଦଳୀୟ ବୈଠକରେ କଂଗ୍ରେସ ପକ୍ଷରୁ କେହି ଯୋଗ ଦେଇନଥିଲେ ।

24ରେ ଉପବାଚସ୍ପତି ନିର୍ବାଚନ, 25ରେ ବଜେଟ:-

22 ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ଦ୍ବିତୀୟ ଦିନ, ଅର୍ଥାତ 23 ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ କରାଯିବ । ସେହିଦିନ 12ଟା ସୁଦ୍ଧା ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବ । 24ରେ ନିର୍ବାଚନ କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ । ଏହା ପରଦିନ, ଅର୍ଥାତ 25 ତାରିଖରେ 2024/25 ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅର୍ଥ ବିଭାଗ ନିଜ ଅଧିନରେ ରଖିଛନ୍ତି । ସେଥିପାଇଁ ଏଥର ବଜେଟ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବେ ।

ବିଧାନସଭା ବଜେଟ ଅଧିବେଶନ କାର୍ଯ୍ୟସୂଚୀ:-

ଓଡିଶା ବିଧାନସଭାର ସପ୍ତଦଶ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ମୋଟ 27 କାର୍ଯ୍ୟ ଦିବସ ରହିଛି । ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟ ଅବଧି ରହିଛି । ବିଧାନସଭା ସଚିବଙ୍କ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, ସାମ୍ବିଧାନିକ ପରିମ୍ପରା ଅନୁସାରେ, ଜୁଲାଇ 22 ତାରିଖରେ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିବେ । ନୂଆ ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳଙ୍କ ଅଭିଭାଷଣରୁ ସ୍ପଷ୍ଟ ସୂଚନା ମିଳିବ । 23 ତାରିଖରେ ଉପବାଚସ୍ପତି ନିର୍ବାଚନ ଘୋଷଣା ହେବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ 23 ଓ 24 ତାରିଖ ଦୁଇଦିନ ଚର୍ଚ୍ଚାରେ ସରଗରମ ହେବ ଗୃହ । 24 ତାରିଖରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । 25 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024/25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । 26 ତାରିଖରେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟକ୍ରମ ଥିବାବେଳେ 27 ଓ 28 ତାରିଖ ଶନିବାର ଓ ରବିବାର ପଡୁଥିବାରୁ ଛୁଟି ରହିବ ବିଧାନସଭା । ସେହିପରି ଜୁଲାଇ 29ରୁ 31 ତାରିଖ ଯାଏଁ ବଜେଟ ଉପରେ ସାଧାରଣ ଆଲୋଚନା ହେବ ।

ଅଗଷ୍ଟ 1ରୁ 19 ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ବନ୍ଦ ରହିବ । ଅଗଷ୍ଟ 20 ତାରିଖରୁ ଦ୍ବିତୀୟ ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ସେହିଦିନ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ । 21 ତାରିଖରୁ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହୋଇ ପାରିତ ହେବ । ଅଗଷ୍ଟ 24 ଓ 25 ଯଥାକ୍ରମେ ଶନିବାର ଓ ରବିବାର ଥିବାରୁ ବିଧାନସଭା ଛୁଟି ରହିବ । ସେହିପରି 26 ତାରିଖ ଜନ୍ମାଷ୍ଟମୀ ଲାଗି ଛୁଟି ରହିବ । ଅଗଷ୍ଟ 31 ତାରିଖ ଶନିବାରକୁ ଛାଡିଦେଲେ ଅନ୍ୟ ଶନିବାର ଓ ରବିବାର ବିଧାନସଭା ଛୁଟି ରହିବ । ସେପ୍ଟେମ୍ବର 9 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ସେପ୍ଟେମ୍ବର 10 ତାରିଖରେ ଚଳିତ ଆର୍ଥିକବର୍ଷର ବ୍ୟୟ ମଞ୍ଜୁରୀ ବିଲ୍‌ ଉପସ୍ଥାପିତ ହେବ । ସେପ୍ଟେମ୍ବର 12 ଓ 13 ତାରିଖରେ ପ୍ରାଇଭେଟ ମେମ୍ବର୍ସ ବିଲ୍‌ ପାଇଁ ଉଦ୍ଦିଷ୍ଟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ତାରା ନୁହେଁଁ; କଂଗ୍ରେସ ବିଧାୟକ ଦଳ ନେତା ହେଲେ କାଡ଼ାମ - Congress Legislature Party Leader

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details