ଭୁବନେଶ୍ବର:ରାଜ୍ୟ ରଚିଲା ନୂଆ ଇତିହାସ । ବିଗତ ନିର୍ବାଚନର ଫଳାଫଳ ଠାରୁ ଚଳିତ ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ବିଜେପିକୁ ମିଳିଛି ବହୁଳ ଜନମତ । ଦଳର ଏହି ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ବିଜେପିର ବିଜୟ ପରେ ଧର୍ମେନ୍ଦ୍ର କହିଛନ୍ତି, "ଆଜି ଓଡି଼ଶାରେ ନୂଆ ଇତିହାସ ଲେଖାଗଲା । ବିଜେଡି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର ସୁଯୋଗ ମିଳିଥିଲା । ଓଡି଼ଶା ଆସି ପ୍ରଧାନମନ୍ତ୍ରୀ ବିଜେପିକୁ ଗୋଟିଏ ଥର ସୁଯୋଗ ଦେବାକୁ କହିଥିଲେ, ଜନତା ମଧ୍ୟ ସହମତି ଦେଇ ବଡ଼ ଆଶୀର୍ବାଦ ଦେଇଛନ୍ତି । ରାଜ୍ୟରେ ବିଜେପି ବହୁମତରେ ସରକାର କରିବାକୁ ଯାଉଛି ।"
"ପ୍ରଧାନମନ୍ତ୍ରୀ ଜୁନ 10 ତାରିଖରେ ବିଜେପି ସରକାର କରିବାକୁ ଶପଥ ନେବେ ବୋଲି ଯାହା କହିଥିଲେ, ଏବେ ତାହା ସତ ହୋଇଛି । ଏହା ବିଜେପିର ବିଜୟ ନୁହେଁ ଓଡିଆ ଲୋକଙ୍କ ବିଜୟ । ଏହାସହ ଓଡ଼ିଆ ଅସ୍ମିତା, ଭାଷା ଓ ଓଡ଼ିଆ ପରିଚୟର ବିଜୟ । ଓଡିଶାବାସୀଙ୍କ ଜନାଦେଶକୁ ଆମେ ସ୍ୱୀକାର କରୁଛୁ । ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଗ୍ୟାରେଣ୍ଟି ବୃଥା ଯିବନି ଏବଂ ଏହା ନିଶ୍ଚୟ ପୂରଣ ହେବ । ପ୍ରଧାନମନ୍ତ୍ରୀ ଯେତେବେଳେ ଯେଉଁ ପ୍ରତିଶୃତି ଦିଅନ୍ତି ତାକୁ ସେ ପୂରଣ କରନ୍ତି । ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛନ୍ତି ଏବଂ ବିଜେପିକୁ ଭରସା କରିଛନ୍ତି ଆମେ ନିଶ୍ଚିତ ଭାବରେ ପୂରଣ କରିବୁ" ବୋଲି କହିଛନ୍ତି ଧର୍ମେନ୍ଦ୍ର ।