ବଲାଙ୍ଗୀର:ନିର୍ବାଚନକୁ ଆଉ ମାତ୍ର କମ ଦିନ ଥିବାବେଳେ ଏହା ପୂର୍ବରୁ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ । ପାଣି ନାହିଁ ତ ଭୋଟ ନାହିଁ ନାରା ଦେଇ ହାତରେ ମାଠିଆ ଧରି ପ୍ରଶାସନର ଦ୍ବାରସ୍ଥ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଜାଲପାଳି ଗାଁର ଶତାଧିକ ମହିଳା । ନିର୍ବାଚନ ପୂର୍ବରୁ ପିଇବା ପାଣି ସମସ୍ୟା ସମାଧାନ ନହେଲେ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇ ଉପଜିଲ୍ଲାପାଳ ଅଫିସ ଆଗରେ ଧାରାଣାରେ ବସିଛନ୍ତି ।
ଅଭିଯୋଗ ମୁତାବିକ, ଦୀର୍ଘ ବର୍ଷ ହେଲା ଜାଲପାଳି ଗାଁରେ ପାଣି ସମସ୍ୟା ଲାଗି ରହିଛି । ଏନେଇ ଲୋକେ ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ମିଳୁନାହିଁ । ସ୍ଥାନୀୟ ବିଧାୟକଙ୍କୁ ସମସ୍ୟା ସମ୍ପର୍କରେ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରି ରହିଆସୁଛନ୍ତି । ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହେବା ପରେ ଶେଷରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି (ବୁଧବାର) ଗ୍ରାମର ଶତାଧିକ ମହିଳା ହାତରେ ମାଠିଆ ଧରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ପାଣି ଯୋଗାଇ ନଦେଲେ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।