ବୌଦ୍ଧ: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତିଶାଳୀ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ନିର୍ବାଚନ ପୂର୍ବରୁ ଦଳର ବହୁ ନେତା ବିଜେପିରେ ସାମିଲ ହୋଇଥିବା ବେଳେ ଏହାସତ୍ତ୍ବେ ମଧ୍ୟ କିଭଳି ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେନେଇ କର୍ମୀଙ୍କୁ ବୁଝାଇଥିଲେ ପ୍ରଣବ । ମନମୁଣ୍ଡାଠାରେ ଦଳର ବୈଠକ ବସିଥିଲା । ପ୍ରଣବ ଓରଫ ବବି ଦାସଙ୍କ ସହ ସମସ୍ତ କର୍ମୀ ଉପସ୍ଥିତ ରହି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା - LOK SABHA ELECTION 2024
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଗତ ୨୦୦୯ ମସିହାରେ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଥିଲା । ଏହାପରେ ଲଗାତାର ତିନିଥର ଏହି ଆସନକୁ ଶାସକ ବିଜେଡ଼ି ଦଳ କବଜାରେ ରଖିଛି । ବିଧାୟକ ମହୀଧର ରଣା ଚଳିତ ନିର୍ବାଚନରେ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତୃତୀୟ ଥର ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଅନ୍ୟପଟେ ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଏକ ବଡ଼ ଗୋଷ୍ଠୀ ବିଜେପି ଦଳରେ ସାମିଲ ହୋଇଥିଲେ । ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ରାଜ୍ୟ ବୟନିକା ସଭାପତି ଶେଷ କୁମାର ମେହେର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଭଳି ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ସହିତ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ଆସ୍ଥାଭାଜନ ପାଇଁ ବିଜେଡି ଦଳର ପ୍ରାର୍ଥୀ ମହୀଧର ରଣା ଆଶାବାଦୀ ଅଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ଲହରୀ ସୃଷ୍ଟି ହୋଇଥିବାରୁ ମହୀଧରଙ୍କ ପାଇଁ ଟେନସନ ବଢ଼ାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ବିଜେଡି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମନମୁଣ୍ଡା ଠାରେ ପହଞ୍ଚି ଦଳୀୟ ନେତା ଓ କର୍ମୀଙ୍କୁ ଏକତ୍ରିତ ହୋଇ ଲଢେଇ ପାଇଁ ଗୁରୁମନ୍ତ୍ର ଦେଇଥିଲେ ।
ବିଜେପି ଦଳର ଲୋକପ୍ରିୟତାକୁ ଆୟୁଧ କରି ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ସବୁ ଅଙ୍କକୁ ଗୋଳମାଳିଆ କରିପାରନ୍ତି ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ଭୋଟର ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ଇଟିଭି ଭାରତ, ବୌଦ୍ଧ