ଓଡିଶା

odisha

ETV Bharat / state

ଟାଣୁଆ ନେତାଙ୍କୁ ଟକ୍କର ଦେବେ ସାମ୍ବାଦିକ, ସ୍ବାଧୀନ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ - Odisha Assembly Election 2024 - ODISHA ASSEMBLY ELECTION 2024

Odisha Assembly Election 2024: ବାଲେଶ୍ବରରେ ଟାଣୁଆ ନେତାଙ୍କୁ ଟକ୍କର ଦେବେ ସାମ୍ବାଦିକ । କାଲି ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ଭରିଲେ ନାମାଙ୍କନ । ଅଧିକ ପଢନ୍ତୁ

Odisha Assembly Election 2024
Odisha Assembly Election 2024 (ETV Bharat Odisha)

By ETV Bharat Odisha Team

Published : May 13, 2024, 8:50 PM IST

ନାମାଙ୍କନ ଭରିଲେ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀ (ETV Bharat Odisha)

ବାଲେଶ୍ବର: ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାକାଲି ଅର୍ଥାତ ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ଆଜି ଶେଷ ଦିନ ପୂର୍ବରୁ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଟାଣୁଆ ନେତାଙ୍କୁ ଟକ୍କର ଦେବାକୁ ପହଞ୍ଚିଛନ୍ତି ଜଣେ ସାମ୍ବାଦିକ । ଅଞ୍ଚଳର ସମସ୍ୟାକୁ ବିଧାନସଭାରୁ ପହଞ୍ଚାଇବାକୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି ।

ବାଲେଶ୍ବର ଲୋକସଭା ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ଅଳ୍ପ ସଂଖ୍ୟକ ସମର୍ଥକମାନଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରୀକାନ୍ତ । ନିଜର ନାମାଙ୍କନ ଦାଖଲ ପରେ ନିଜର ପ୍ରତିକ୍ରିୟା ରଖିଥିଲେ । ଶ୍ରୀକାନ୍ତ କହିଥିଲେ, "୨୦୧୪ ମସିହାଠାରୁ ବାଲେଶ୍ବର କଣ ସାରା ଦେଶରେ କଣ ବିକାଶ ହୋଇଛି, ବରଂ ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି । ଯେଉଁଠି କି ଅହେତୁକ ଦରଦାମ ବୃଦ୍ଧି ସାଙ୍ଗକୁ ଖାଲି ମିଛ ପ୍ରତିଶ୍ରୁତି ଭିତରେ ଲୋକମାନଙ୍କୁ ରଖାଯାଇଛି । ଏହାସହ ନାମାଙ୍କନ ଦାଖଲରେ ଏତେ ସଂଖ୍ୟକ ଲୋକମାନଙ୍କୁ ଖରା ଗୁଳୁଗୁଳିରେ ଆଣିବା ସମୀଚିନ ନୁହେଁ ବରଂ ସେମାନଙ୍କ ମତଦାନ ଗୁରୁତ୍ବପୂର୍ଣ୍ଣ ।"

ସେହିପରି ସୋର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ଯୁବ ସାମ୍ବାଦିକ ଅକ୍ଷୟ ଜେନା ନିଜର ନାମାଙ୍କନ ଦାଖଲ କରିଛନ୍ତି । ସାମ୍ବାଦିକତା କରି ସେ ଲୋକମାନଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିଥିବା ବେଳେ ସେସବୁ ସମସ୍ୟାର ସମାଧାନ ବିଗତ ଦିନମାନଙ୍କରେ ଲୋକମାନେ ବାଛିଥିବା ଜନପ୍ରତିନିଧିମାନେ ଦୃଷ୍ଟି ଦେଇ ନାହାନ୍ତି । ଜଣେ ସାମ୍ବାଦିକ ଭାବେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ହକର ଲଢେଇ ପାଇଁ ସେ ନାମାଙ୍କନ ଦାଖଲ କରିଥିବା କଥା କହିଛନ୍ତି । ଏହାସହ ରାଜ୍ୟର ସବୁ ବିଧାନସଭା ଆସନରେ ଜଣେ ଜଣେ ସାମ୍ବାଦିକ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିବାକୁ ଅକ୍ଷୟ ଆହ୍ବାନ ଦେଇଛନ୍ତି ।

ଏହା ବି ପଢନ୍ତୁ- ବାଲେଶ୍ୱର ବିଧାନସଭା ଆସନ: ତିନି ଦଳର ଅଙ୍କ ବିଗାଡିବେ ସ୍ୱାଧୀନ ପ୍ରାର୍ଥୀ

ଅନ୍ୟପଟେ ନୀଳଗିରି ଉପଜିଲ୍ଲାପାଳଙ୍କ ନିକଟରେ ବିଜେଡି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ଶୋଭାଯାତ୍ରାରେ ତାଙ୍କ ସହ ବାଲେଶ୍ବର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ସାମିଲ ହୋଇଥିଲେ । ତାଙ୍କ ବିଧାୟକ କାର୍ଯ୍ୟକାଳ ଭିତରେ ନୀଳଗିରିର ଅନେକ ଉନ୍ନତି ହୋଇଥିବା ବେଳେ ଏଥର ପୁଣି ଆଶୀର୍ବାଦ ମିଳିଲେ ନୀଳଗିରି ବିକାଶ ଆହୁରି ଦୁଇପାଦ ଆଗକୁ ଯିବ ବୋଲି ସୁକାନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଆଜି ଗୋଟିଏ ଦିନରେ ଜଳେଶ୍ବର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ବସ୍ତା କଂଗ୍ରେସ ପ୍ରାର୍ଥୀ ବିଜନ ନାୟକ, ରେମୁଣା କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ଜେନାଙ୍କ ସମେତ ରେମୁଣାର ଅସନ୍ତୁଷ୍ଟ ବିଜେପି କର୍ମୀ ବିଜୟ ସେଠି ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡିର ଆଶାୟୀ ପ୍ରାର୍ଥୀ ଚନ୍ଦନ ମଲ୍ଲିକ ଏବଂ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ସୁଧାଂଶୁ ପରିଡ଼ା ନିଜ ନିଜ ନାମାଙ୍କନ ଦାଖଲ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details