ଭୁବନେଶ୍ବର:ବିଜେପିକୁ ଟାର୍ଗେଟ କଲେ ଭୃଗୁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ବିଜେପି ଶୋଚନୀୟ ପରାଜୟକୁ ସାମ୍ନା କରୁଛି ବୋଲି ଜାଣି ସାରିଛି । ବିଜେଡି 90% ଆସନରେ ବାଜିମାତ କରିବାକୁ ଯାଉଥିବାରୁ ଏହା ବିଜେପି ମନୋବଳକୁ ଭାଙ୍ଗି ଦେଇଛି । ଯେଉଁଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି । ବିଚଳିତ ହୋଇ ମନଗଢା କଥା କହୁଛି ବିଜେପି । ନିଜ ଦଳ ସରକାର ବିରୁଦ୍ଧରେ ତଦନ୍ତ ଦାବି କଲେଣି ବିଜେପି ନେତା ସମୀର ମହାନ୍ତି । ଏହା କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।
ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲୁ । ବିଜେଡ଼ିର ଘୋଷଣା କରିଥିବା ଇସ୍ତାହାର ବାବଦରେ ସମୀର ଆଲୋଚନା କରିଛନ୍ତି । ବିଜେଡି ଘୋଷଣା କରିଛି ଯେ, ସରକାରକୁ ଆସିଲେ ଆସନ୍ତା ଜୁଲାଇ ମାସରୁ ବିଦ୍ୟୁତ୍ ଦର ମାଗଣା କରାଯିବ । 100 ୟୁନିଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା, ତା'ପରେ 50 ୟୁନିଟର ଏକ ସ୍ଲାପ ହେବ । ବିଜେଡି ଇସ୍ତାହାରରେ ଯାହା ଯାହା କହିଛି, ତାହା ଦଳ କରିକି ଦେଖାଇଛି । ଏବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରଣ କରାଯାଉଛି । ବିଜେଡି ସରକାର ଏକମାତ୍ର ସରକାର ହେବ, ଯିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ଘୋଷଣା କରି ଶେଷ କରୁଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଗରିବ ଜନସାଧାରଣଙ୍କ ଲାଗି ବିଜେଡି ସରକାର ବିଦ୍ୟୁତ ଦର ନିଜ କାନ୍ଧକୁ ନେଇଥିବାରୁ ବିଜେପିକୁ ହଜମ ହେଉନାହିଁ । ବିଜେପି ଲୋକଙ୍କ ଲାଗି କିଛି କରିନାହିଁ କିମ୍ବା କରିବା ପାଇଁ ସୁଯୋଗ ନାହିଁ । ବିଦ୍ୟୁତ ଦର ବିଜେଡି ସରକାର ଦେବେ କିନ୍ତୁ ବିଜେପି ଅଫିସରେ କରେଣ୍ଟ ଲାଗୁଛି । ବିଜେପିର ଇସ୍ତାହାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କରିଛନ୍ତି । ବିଜେପିର ଇସ୍ତାହାର କମିଟି କ'ଣ କ'ଣ କରେ ସମୀର ତାହା ଜାଣିଛନ୍ତି । ବିଜେପି ଇସ୍ତାହାର ପ୍ରସ୍ତୁତ ହୋଇ କେଉଁ ରୁମରେ ରୁହେ ତାହା ସମୀର ମଧ୍ୟ ଜାଣିଛନ୍ତି । ବିଜେପିର ଲିଖିତ ଇସ୍ତାହାରକୁ ପାଳନ କରିବା ଲାଗି ଜନସାଧାରଣ କେବେ ସୁଯୋଗ ଦେଇ ନାହାନ୍ତି । ବିଜେଡିକୁ ଓଡିଶାବାସୀ ବାରମ୍ବାର ସୁଯୋଗ ଦେଇଛନ୍ତି । ଲୋକ ସୁଯୋଗ ଦେଉଛନ୍ତି, ନବୀନ ସରକାର ଏହାର ସୁ - ଉପଯୋଗ କରୁଛନ୍ତି ।