ବାଲେଶ୍ବର: ସଦର ବିଧାନସଭା ଆସନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବିକ୍ରମ ପଣ୍ଡା । ପ୍ରାୟ 6 ମାସ ପୂର୍ବରୁ ବିକ୍ରମ ନିଜର ସଂଗଠନ ସଜାଡ଼ିବା ସହ ଘରେ ଘରେ ବିକ୍ରମ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ । ସଦର ବିଧାୟକ ସ୍ୱରୂପ ଦାସଙ୍କ କାର୍ଯ୍ୟଶୈଳୀକୁ ବିକ୍ରମ ଅନେକ ସମୟରେ କଟାକ୍ଷ କରିବା ସହ ବିଧାୟକଙ୍କ ବିକାଶର ବାର୍ତ୍ତା ଓ କେଉଁଠି କ'ଣ ଅବହେଳା ହୋଇଛି ସେନେଇ ବିକ୍ରମ ପୂର୍ବରୁ ଟାର୍ଗେଟ କରି ଆସୁଥିଲେ । 2020 ମସିହା ଠାରୁ ଜିଲ୍ଲା କଂଗ୍ରେସର ନେତୃତ୍ୱଙ୍କ ଉପରେ ଭରସା ନ କରି ବିକ୍ରମ ନିଜେ ସଂଗଠନ ସୁଦୃଢ଼ କରିବା ଦିଗରେ ମନ ବଳାଇଥିଲେ।
ଏହାରି ଭିତରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ଜେନା ନିର୍ବାଚନ ମୈଦାନକୁ ଓହ୍ଲାଇବା ପରେ ବିକ୍ରମ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ନେଇ ବେଶ ଆଶାବାଦୀ ଥିଲେ ବୋଲି ଆଲୋଚନା ହେଉଥିଲା । ମାତ୍ର କଂଗ୍ରେସ ମୋନାଲିସା ସମାଲଙ୍କୁ ପ୍ରାର୍ଥୀ କରିବା ପରେ ଏବେ ବିକ୍ରମ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ ସୂଚନା ଦେଇଛନ୍ତି ।
ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଏବଂ ବିଜେପି ପ୍ରାର୍ଥୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ କେତେ ଦକ୍ଷ ବୋଲି ବିକ୍ରମ ପ୍ରଶ୍ନ କରିବା ସହ କଂଗ୍ରେସ ପ୍ରାର୍ଥୀ ନବାଗତା ଏବଂ ତାଙ୍କ ବାବଦରେ କିଛି ମନ୍ତବ୍ୟ ଦେବେନାହିଁ ବୋଲି କହିଥିଲେ । ଖାଲି ସେତିକି ନୁହେଁ ଆସନ୍ତା 9 ତାରିଖରେ ବିକ୍ରମ ନାମାଙ୍କନ ଦାଖଲ କରିବେ ଏବଂ ଲଢେଇ ବିଜେଡି ବିଜେପି ପ୍ରାର୍ଥୀଙ୍କ ସହ ହେବ ବୋଲି କହିବା ସହ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକୁ ଆସିବେ ନାହିଁ ବୋଲି ପରୋକ୍ଷରେ କହିଛନ୍ତି ।