ଭଦ୍ରକ:ଆଜି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହିତ ଆରଏମସି ପଡିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମଠସାହି ଛକ, ନୂଆବଜାର ରାସ୍ତାରେ ଆସି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ ପ୍ରଫୁଲ୍ଲ । ପ୍ରଫୁଲ୍ଲ ଭଦ୍ରକରୁ ରାଜନୈତିକ ଯାତ୍ରା ଆରମ୍ଭ କରି 3 ଥର ଭଦ୍ରକ ଏବଂ 3 ଥର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ଚଳିତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ଆଧାର କରି ସେ ଚତୁର୍ଥ ଥର ପାଇଁ ଭଦ୍ରକ ବିଧାନସଭା ଆସନରେ ନିଶ୍ଚିତ ଭାବେ ବିଜୟ ହେବେ ବୋଲି କହିଛନ୍ତି । ପ୍ରକାଶ ଥାଉ କି ଭଦ୍ରକ ଏବଂ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସେହି ପୁରୁଣା ମୁହଁକୁ ରିପିଟ୍ କରିଛି । ହେଲେ ଉଭୟ ପ୍ରାର୍ଥୀଙ୍କ ଆସନ ଅଦଳ ବଦଳ କରିଛି ଦଳ । ବିଜେଡିର ବରିଷ୍ଠ ତଥା ପୁରୁଖା ନେତା ବିଧାୟକ ପ୍ରଫୁଲ ସାମଲଙ୍କୁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିିକଙ୍କୁ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଥଇଥାନ କରାଯାଇଛି ।
2019 ସାଧାରଣ ନିର୍ବାଚନରେ ପ୍ରଫୁଲ ସାମଲ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ବୀ କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ମାତ୍ର 8859 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ବିଜେପିର ଡାକ୍ତର ପ୍ରଦୀପ ନାୟକଙ୍କ ଠାରୁ ସଞ୍ଜୀବ କୁମାର ମଲ୍ଲିକ 33389 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଯାହାକି ଭଦ୍ରକ ଜିଲ୍ଲାରେ ଅନ୍ୟ ପ୍ରାର୍ଥୀ ମାନଙ୍କ ଠାରୁ ସଞ୍ଜୀବଙ୍କ ବିଜୟ ବ୍ୟବଧାନ ଥିଲା ସର୍ବାଧିକ । ହେଲେ ଚଳିତ ନିର୍ବାଚନରେ ଏହି ଦୁଇ ନେତାଙ୍କ ଆସନ ଅଦଳବଦଳ ଦଳ କାହିଁକି କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।