ଭୁବନେଶ୍ବର:ଆଜି ବିଧାନସଭା ବଜେଟ ଅଧିବେଶନର ଉଦଘାଟନୀ କାର୍ଯ୍ୟ ଦିବସରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ହରିବାବୁ କାମ୍ଭମପତି । ରାଜ୍ୟପାଳ ଗୃହରେ ସରକାରଙ୍କ ବିକାଶମୂଳକ ଯୋଜନାର ବିଭିନ୍ନ ଦିଗକୁ ପ୍ରଶଂସା କରିଛନ୍ତି । ବିଶେଷ ଭାବେ ବହୁଚର୍ଚ୍ଚିତ ମହିଳାକୈନ୍ଦ୍ରିକ ଫ୍ଲାଗସିପ୍ ସ୍କିମ୍ ‘ସୁଭଦ୍ରା’ ଯୋଜନାକୁ ପ୍ରଶଂସା କରିଥିଲେ । ଗତ ପ୍ରାୟ 8 ମାସ ମଧ୍ୟରେ ସରକାର ଗ୍ରହଣ କରିଥିବା ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନାକୁ ପ୍ରଶଂସା କରି ଏହାକୁ ରାଜ୍ୟର ବିକାଶକୁ ଗତି ଦେବ ବୋଲି ରାଜ୍ୟପାଳ ଆଶା ବ୍ୟକ୍ତ କରିଛନ୍ତି ।
- ସରକାରୀ ଯୋଜନାକୁ ରାଜ୍ୟପାଳଙ୍କ ପ୍ରଶଂସା
ରାଜ୍ୟପାଳ କହିଛନ୍ତି, ' ଓଡିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ ରାଜ୍ୟ ସରକାର କାମ ଜାରି ରଖିଛନ୍ତି । ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏକ କୋଟି ମହିଳା ଲାଭାର୍ଥୀ ଲାଭାନ୍ବିତ ହୋଇସାରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ପାଇଁ ‘ଏମଏସପି’ ସହ ବୋନସ ଦେଉଛନ୍ତି । ଯାହା ରାଜ୍ୟର ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରୁଛି । ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ମଧ୍ୟ ସରକାର ପ୍ରଭାବୀ ଭାବେ କାମ କରୁଛନ୍ତି । ଶ୍ରୀମନ୍ଦିରର 4 ଦ୍ବାର ଖୋଲାଯାଇଛି । ଦୁଗ୍ଧ ଚାଷୀଙ୍କ ପାଇଁ ‘କାମଧେନୁ’ ଯୋଜନା କାର୍ଯ୍ୟକାରୀ କରାଯାଇଛି । '
ASSEMBLY BUDGET SESSION 2025 (ETV Bharat Odisha) - ରାଜ୍ୟପାଳ-ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର
ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳ ହରିବାବୁ ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ‘ଗାର୍ଡ ଅଫ ଅନର’ ପ୍ରଦାନ କରାଯାଇଥିଲା । ବିଧାନସଭା ଆରମ୍ଭ ପୂର୍ବରୁ ପ୍ରଥମେ ବାଚସ୍ପତି ସୁରମା ପାଢ଼ୀ ପହଞ୍ଚିଥିଲେ । ବାଚସ୍ପତିଙ୍କୁ ମଧ୍ୟ ଗାର୍ଡ ଅଫ ଅନର ସହ ସ୍ବାଗତ କରାଯାଇଥିଲା । ପୋଲିସ ମହାନିର୍ଦ୍ଦେଶକ ଓ୍ବା.ବି ଖୁରାନିଆ, ପୋଲିସ କମିଶନର ଦେବଦତ୍ତ ସିଂ ଉପସ୍ଥିତ ଥିଲେ ।
୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି:
ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି, ଦୁଗ୍ଧ ଉତ୍ପାଦନ ଵୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତିମଣତି କରିଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ଡାଲିମ ଦିଆଯିବ । ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ଚାଲିବ ୪୦୦ଟି ଇ-ବସ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଇଟି/ଆଇଟିଇଏସରେ ୫୦,୦୦୦ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ । ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇସାରିଛି ।
ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ:
2036 ସୁଦ୍ଧା ଓଡିଶାକୁ 500 ବିଲିୟନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ରଖିଛନ୍ତି ସରକାର । ଭିଜନ 2036 ପାଇଁ ସରକାରଙ୍କୁ ମିଳିଛି 3 ଲକ୍ଷରୁ ଅଧିକ ପ୍ରସ୍ତାବ । ବିକଶିତ ଭାରତ 2047 ପାଇଁ ଭାରତର ଅର୍ଥନୀତିକୁ ଓଡ଼ିଶାର 1.5 ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରଖିଛନ୍ତି ରାଜ୍ୟ ସରକାର ।
ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଲକ୍ଷ୍ୟ:
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ଯମରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି 6794ଟି ପ୍ରାଥମିକ ବିଦ୍ୟାଳୟକୁ ବହୁବିଧ ବିଷୟକ ଶିକ୍ଷା, ଭିତ୍ତିଭୂମି ଉନ୍ନତି, ସାମାଜିକ-ଭାବନାତ୍ମକ ଶିକ୍ଷା, ଜୀବନ କୌଶଳ ଶିକ୍ଷା ଏବଂ ସମାନ ଶିକ୍ଷା ପରିବେଶ ସହିତ ଏକ ସାମଗ୍ରିକ ଶିକ୍ଷା କେନ୍ଦ୍ରରେ ବିକଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ସରକାର ଶିକ୍ଷାଦାନ ଓ ଶିକ୍ଷାଦାନ ପଦ୍ଧତିର ରୂପାନ୍ତରଣକୁ ସମର୍ଥନ କରିବା ସହିତ ସମସ୍ତ ଅଂଶୀଦାର ମାନଙ୍କୁ ସାମିଲ କରି ବିଦ୍ୟାଳୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ।
୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ଘରୋଇ ନଳ ସଂଯୋଗ (ଏଫ୍ଏଚଟିସି) ମାଧ୍ୟମରେ ସମସ୍ତ ଗ୍ରାମୀଣ ପରିବାରକୁ ସୁରକ୍ଷିତ ଏବଂ ସ୍ଥାୟୀ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଆବଶ୍ୟକୀୟ ପ୍ରୟାସ କରୁଛନ୍ତି । ସରକାର ଓଡ଼ିଶାର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ ସଂଯୋଗ ସଂପୂର୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସରକାର ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ୧୨.୮୯ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । ଏହା ସହିତ ୩.୮୪ ଲକ୍ଷ କୋଟି ନିବେଶ ମୂଲ୍ୟ ଏବଂ ୩.୯୨ ଲକ୍ଷ ନିଯୁକ୍ତି ସମ୍ଭାବନା ସହିତ ୪୪୮ ନିବେଶ ଉଦ୍ଦେଶ୍ୟ ଫର୍ମ ଗ୍ରହଣ କରାଯାଇଛି ।
ସରକାର ହୀରାକୁଦ ଏବଂ ସାତକୋଶିଆ ପ୍ରକଳ୍ପର ବିକାଶ ପାଇଁ ପାଇଁ ଭାରତ ସରକାରଙ୍କ ଠାରୁ ସଫଳତାର ସହ ଅନୁମୋଦନ ହାସଲ କରିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ଯୋଜନାର ଭାଗ-୩ ଅଧୀନରେ ୨୦୨୪-୨୫ରେ ଓଡ଼ିଶାକୁ ୫୦ ବର୍ଷ ପାଇଁ ସୁଧ ମୁକ୍ତ ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ମିଳିବ ।
ପାଞ୍ଚଟି ନୂତନ ଉତ୍କର୍ଷ କେନ୍ଦ୍ର ଖୋଲାଯିବ:
ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର | ଗୁରୁତ୍ବପୂର୍ଣ କ୍ଷେତ୍ରରେ ଉନ୍ନତ ଶିକ୍ଷା, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଅନ୍ୟୁନ ପାଞ୍ଚଟି ନୂତନ ଉତ୍କର୍ଷ କେନ୍ଦ୍ର ଖୋଲାଯିବ । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ ରହିବ। ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ପ୍ରଦାନ ସୁନିଶ୍ଚିତ କରିବ । ଏନଇପି-୨୦୨୦ ଅନୁଯାୟୀ ୪ଟି ବିଶ୍ବବିଦ୍ୟାଳୟକୁ "ମେରୁ" (ମଲ୍ଟିଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି)କୁ ଉନ୍ନୀତ କରାଯିବ । କ୍ରମବର୍ଦ୍ଧିଷ୍ଣୁ ଉନ୍ନତ ଶିକ୍ଷାର ଚାହିଦାକୁ ପୂରଣ କରିବା ପାଇଁ ବିଶ୍ବବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକର ସ୍ନାତକୋତ୍ତର ଆସନ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରିବେ ସରକାର।
ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ:
ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସ୍ବର୍ଗତ ବିଧାୟକ ବିଜୟ କୁମାର ମହାନ୍ତି,ସଦନ ନାଏକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୋକପ୍ରସ୍ତାଵ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
- 17 ରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଚଳିତମାସ (ଫେବୃଆରୀ) 17 ତାରିଖରେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତଆର୍ଥିକ ବର୍ଷ 2025-26ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏଥି ମଧ୍ୟରେ ଶାସକ ଦଳକୁ ମଧ୍ୟ 8 ମାସ ବିତିଛି । ସେପଟେ ବିରୋଧୀ ଦଳମାନେ ରାଜ୍ୟର ବୁହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହି ଅଧିବେଶନରେ 28ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ରୁ ୨୧ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଶେଷ ହେବ ।
ସଂକ୍ଷେପରେ ବଜେଟ ଅଧିବେଶନ:
- ଅଧିବେଶନରେ ମୋଟ 28 କାର୍ଯ୍ୟଦିବସ
- ପ୍ରଥମ ପର୍ଯ୍ୟାୟ- ଫେବୃଆରୀ ୧୩ ରୁ ୨୧ ତାରିଖ
- ଦ୍ୱିତୀୟ ପର୍ଯ୍ୟାୟ- ମାର୍ଚ୍ଚ ୧୭ରୁ ଏପ୍ରିଲ ୫ ତାରିଖ
- ବଜେଟ ଉପସ୍ଥାପନ- ଫେବୃଆରୀ ୧୭ ତାରିଖ
ଇଟିଭି ଭାରତ, ଭୁବନେଶ୍ବର