ଭୁବନେଶ୍ବର:କଥାରେ ଅଛି ହୃଦୟ ଜିଣିବାର ଅଛି ପେଟ କଥା ବୁଝ । ପେଟ ଅର୍ଥାତ ଖାଦ୍ୟ ଉପରେ ଧ୍ୟାନ ଦେଲେ ହୃଦୟ ଜିଣିବା ସହଜ ହେବ । ଏହି ମର୍ମକୁ ବୁଝି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆରମ୍ଭରୁ ପଦକ୍ଷେପ ନିଆଯାଇଛି । ପ୍ରବାସୀ ଭାରତୀୟ ପାଇଁ ପ୍ରସ୍ତୁତ ହୋଇଛି ଭଳିକି ଭଳି ଖାଦ୍ୟର ଆୟୋଜନ । ଖାଦ୍ୟରେ ରହିଛି ଓଡ଼ିଆ ଛୁଙ୍କ । ଏହା ସହ ମାଣ୍ଡିଆର କିପରି ପ୍ରଚାର ପ୍ରସାର ହୋଇପାରିବ ଏଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।
ପ୍ରବାସୀଙ୍କ ଖାଦ୍ୟରେ ଓଡ଼ିଆ ମହକ:
ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । 3 ଦିନିଆ କାର୍ଯ୍ୟକ୍ରମରେ ପ୍ରବାସୀଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ପ୍ରବାସୀଙ୍କୁ ପରସା ଯାଉଥିବା ଖାଦ୍ୟରେ ରହିଛି ଓଡ଼ିଶାର ମହକ । ସେହିପରି ପ୍ରବାସୀଙ୍କୁ ମିଲେଟ ଚଖେଇବା ଲାଗି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।
ମିଲେଟ-ଓଡିଆ ଖାଦ୍ୟ ଖାଉଛନ୍ତି ପ୍ରବାସୀ:
ମେ’ ଫାୟାର ଗ୍ରୁପର କ୍ଲଷ୍ଟର ଏକ୍ସକ୍ୟୁଟିଭ ରୁବୁଲ କାନ୍ତିମଣ୍ଡଳକହିଛନ୍ତି, "ପ୍ରବାସୀ ଭାରତୀୟ ଦିବସ ଆଜିଠାରୁ ଆରମ୍ଭ ହୋଇଛି । ଏହା 3 ଦିନ ଧରି ଚାଲିବ । ପ୍ରତ୍ୟେକ ଦିନ ପ୍ରାୟ 12ରୁ 13 ହଜାର ଲୋକ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ପରିମାଣର ଲୋକ ଖାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତି ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।"
18 ପ୍ରକାର ବ୍ୟଞ୍ଜନ ଚାଖିବେ ପ୍ରବାସୀ:
ସେ ଆହୁରି ମଧ୍ୟ କହିଛନ୍ତି, "ଲଞ୍ଚ, ହାଇ ଟି ଓ ଡିନର ଲାଗି ବ୍ୟବସ୍ଥା କରାଯାଉଛି । ମିଲେଟ ଓ ଓଡ଼ିଆ ଖାଦ୍ୟ ପ୍ରବାସୀଙ୍କୁ ପରସିବା ଲାଗି ସରକାରଙ୍କ ନିର୍ଦ୍ଦେଶ ରହିଛି । ସେହିପରି ଓଡିଶାରେ ପ୍ରସ୍ତୁତ ହେଉଥିବା ଆମିଷ ଖାଦ୍ୟ ରହିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ଲୋକପ୍ରିୟ ବ୍ୟଞ୍ଜନ ମଧ୍ୟ ପ୍ରବାସୀଙ୍କୁ ଖାଦ୍ୟରେ ଦିଆଯାଉଛି । କଦଳୀ ଷ୍ଟିମରେ ସୁପ ବିନା ଯାଉଛି । ସେହିପରି ପାଳଙ୍ଗ ଶାଗ, ପୋଇ ଶାଗ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ ହେଉଛି । ଡାଲମା, ପୁରୀ ଡାଲମା, ଜହ୍ନି ରାଇ, ଗୋଟି ପୋଟଳ ମଧ୍ୟ ପରସା ଯିବ । ଆମିଷରେ ମାଛ ବେଶର, କୁକୁଡ଼ା ମାଂସ ଝୋଳ, ହାଣ୍ଡି ମାଂସ ମଧ୍ୟ ରହିଛି । 3 ଦିନରେ 18 ପ୍ରକାର ଖାଦ୍ୟ ପ୍ରବାସୀଙ୍କ ପ୍ଲେଟରେ ଦେବୁ ।
ଖାଦ୍ୟରେ ରହିଛି ପିଠା ପଣାର ମହକ:
ସେହିପରି ପିଠାରେ ଚକୁଳି ପିଠା, ପୋଡ଼ ପିଠା, ମଣ୍ଡା ପିଠା ରହିଛି । ମିଲେଟର ଫ୍ଲେବର ଦେବା ପାଇଁ ମଣ୍ଡା ପିଠାରେ ରାଗିର ବ୍ୟବହାର କରାଯାଇଛି । ଛେନା ଝିଲ୍ଲୀ, ଛେନା ପୋଡ଼ ମଧ୍ୟ ରହିଛି । ପତ୍ର ପୋଡା ମାଛ ଓ ମାଂସର ବ୍ୟବସ୍ଥା ହୋଇଛି । 5 ପ୍ରକାର ଖଟାର ବ୍ୟବସ୍ଥା ହୋଇଛି । ଟମାଟୋ ଖଟା, ଆମ୍ବୁଲ ରାଇ ସେଥିରେ ରହିଛି । ଖିଛୁଡ଼ି ଓ ପ୍ଲେନ ରାଇସ ମଧ୍ୟ ରହିଛି । ପ୍ରତ୍ୟେକ ଦିନ ଏହା ପରିବର୍ତ୍ତନ ହେବ । ପ୍ରବାସୀ ମଧ୍ୟ ଓଡ଼ିଆ ଖାଦ୍ୟକୁ ପସନ୍ଦ କରୁଛନ୍ତି ।