ଭୁବନେଶ୍ବର:ଶିଶୁଭବନରୁ ହଟିବ ପୋଷଣ ପୁନର୍ବାସ କେନ୍ଦ୍ର । ଶିଶୁଙ୍କ ପାଇଁ ନିର୍ମାଣ ହେବ ହସ୍ପିଟାଲ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଶିଶୁଭବନରେ କାର୍ଯ୍ୟକ୍ଷମ ରହିଛି ପୋଷଣ ପୁନର୍ବାସ କେନ୍ଦ୍ର । ଏହାକୁ ହଟାଇବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଯାଇଛି । ତେବେ ଶିଶୁଭବନ ବିଲ୍ଡିଂ ଥିବା ସ୍ଥାନରେ ଶିଶୁମାନଙ୍କ ପାଇଁ ଏକ ହସ୍ପିଟାଲ ନିର୍ମାଣ କରାଯିବ । ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ହସ୍ପିଟାଲ ନିର୍ମାଣ ପାଇଁ ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ନବଜାତ ଶିଶୁଙ୍କ ଯତ୍ନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିଶୁମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟରେ ଉପଲବ୍ଧତା ସେବା ଯୋଗାଇ ଦିଆଯାଉଛି । ରାଜ୍ୟରେ ୫୩୦ ନବଜାତ ଶିଶୁ ଯତ୍ନ କର୍ଣର (ଏନବିସିସି) କାର୍ଯ୍ୟକ୍ଷମ ଅଛି । ୪୯ଟି ନବଜାତ ଶିଶୁ ଷ୍ଟାବିଲାଇଜେଶନ କକ୍ଷ (ଏନବିଏସୟୁ) ରେ ୫୦୧୯ ନବଜାତକ ସଫଳତାର ସହିତ ଚିକିତ୍ସିତ ହୋଇଛନ୍ତି । ୪୪ଟି ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସଏନସିୟୁ) ରେ ୫୧୬୮୭ ନବଜାତକ ସଫଳତାର ସହିତ ଚିକିତ୍ସିତ ହୋଇଛନ୍ତି । ୭୬ଟି କଙ୍ଗାରୁ ମା ଯତ୍ନ କେନ୍ଦ୍ର (କେଏମସି) ରେ ୨୧,୧୮୯ ନବଜାତକ ଚିକିତ୍ସା ସେବା ପାଇଛନ୍ତି ।