ନୂଆପଡ଼ା: ସାଧାରଣ ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି (ମଙ୍ଗଳବାର) ଜିଲ୍ଲା ପ୍ରଶାସନ ସାମ୍ବାଦିକ ସମ୍ମିଳନୀ ଡାକି ସମସ୍ତ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ଜିଲ୍ଲାରେ 52 ଗୋଟି ମଡେଲ ବୁଥ ବା ସଖୀ ବୁଥର ବ୍ୟବସ୍ଥା କରାଯିବ । ଏହାସହ ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଲଗାଯିବ ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ- ଅନୁଗୋଳରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର, କର୍ମୀଙ୍କୁ ଦିଆଗଲା ତାଲିମ
ନୂଆପଡା ଜିଲ୍ଲା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ । ନୂଆପଡା ଜିଲ୍ଲାରେ ନୂଆପଡା 71 ଏବଂ ଖଡ଼ିଆଳ 72 ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଏହି 2 ଗୋଟି ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ ଏପ୍ରିଲ 18 ତାରିଖଠାରୁ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିପାରିବେ । ମେ 13 ତାରିଖ ଦିନ ଭୋଟ ଗ୍ରହଣ କରାଯିବ । ସେହିଭଳି ଜୁନ 4 ତାରିଖ ଭୋଟ ଗଣତି କରାଯିବ ବୋଲି ତାରିଖ ଘୋଷଣା ପରେ ଏ ନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସାଧାରଣ ଭୋଟର ସୁରକ୍ଷିତ ମତଦାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।