ବଲାଙ୍ଗୀରରେ ହାର୍ଡକୋର ମାଓ ନେତାର ଆତ୍ମସମର୍ପଣ ବଲାଙ୍ଗୀର: ପୋଲିସ ନିକଟରେ ହାର୍ଡକୋର ମାଓ ନେତାଙ୍କ ଆତ୍ମସମର୍ପଣ । ବିବିଏମ ଡିଭିଜନର ଏରିଆ କମାଣ୍ଡର ସୋମନାଥ ଅଛଲ ଓରଫ୍ ମହେଶ ବଲାଙ୍ଗୀର ଏସପି ଓ ସମ୍ବଲପୁର ଆଇଜିଙ୍କ ଉପସ୍ଥିତିରେ ବଲାଙ୍ଗୀର ପୋଲିସ ପାଖରେ ଆଜି (ଶନିବାର) ଆତ୍ମସମର୍ପଣ କରିଛନ୍ତି । ଉପରିସ୍ଥ ମାଓ ନେତାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏବଂ ଓଡ଼ିଶାର ଆତ୍ମସମର୍ପଣ ପଲିସିରେ ଆକୃଷ୍ଟ ହୋଇ ସେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ସୋମନାଥଙ୍କ ମୁଣ୍ଡ ଉପରେ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।
ସୋମନାଥ ଅଛଲ ଛତିଶଗଡ ରାଜ୍ୟ ଆଦିବାସୀ ଆଧ୍ୟୁଷିତ କାଙ୍କେର ଜିଲ୍ଲାର ନିବାସୀ ଅଟନ୍ତି । ସେ ଦୀର୍ଘ 2006 ମସିହାରୁ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ଦୀର୍ଘ ବର୍ଷ ହେଲା ବିବିଏମ ମାଓ ସଂଗଠନର ଏରିଆ କମାଣ୍ଡର ଭାବେ କାମ କରୁଥିଲେ । ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଅନେକ ମାଓବାଦୀ କାର୍ଯ୍ୟକଳାପ, ହିଂସା ଓ ହତ୍ୟାରେ ସେ ଜଡିତ ଥିଲେ । ଏହାସହିତ ଦୀର୍ଘ ବର୍ଷ ଧରି ବଲାଙ୍ଗୀର ବରଗଡ଼ ମହାସମୁନ୍ଦ ମାଓ ଡିଭିଜନର ଏସିଏମ ଭାବରେ ନିଯୁକ୍ତି ପାଇଁ ମାଓ କାର୍ଯ୍ୟକଳାପ କରି ଆସୁଥିଲେ ।
ଏହା ମଧ୍ୟ ପଢନ୍ତୁ: ମାଲକାନଗିରିରେ ଆତ୍ମସମର୍ପଣ କଲେ ଛତିଶଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ
ଏଭଳି ଜଣେ ହାର୍ଡକୋର ମାଓନେତା ଆତ୍ମସମର୍ପଣ କରିବା ପୋଲିସ ପାଇଁ ଏକ ବଡ ସଫଳତା । ଏନେଇ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ଏହି ହାର୍ଡକୋର ମାଓବାଦୀ ଦୀର୍ଘ ବର୍ଷରୁ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ । ଏରିଆ କମାଣ୍ଡର ଭାବରେ କାର୍ଯ୍ୟ କରି ଅନେକ ମାଓ ହିଂସା ଘଟାଇଥିଲେ । ହେଲେ ଉପରିସ୍ଥ ମାଓ ନେତାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏବଂ ଓଡ଼ିଶା ସରକାରଙ୍କ ଆଦିବାସୀଙ୍କ ପାଇଁ ଥିବା ଯୋଜନା ଓ ଆତ୍ମସମର୍ପଣ ଯୋଜନାରେ ଅପାୟିତ ହୋଇ ସେ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି । ସେହିପରି ବିଗତ କିଛି ବର୍ଷ ହେବ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆଉ ନୂଆ କ୍ୟାଡର ମାଓ ସଙ୍ଗଠନରେ ସାମିଲ ହେଉନାହାନ୍ତି । ସରକାରୀ ଯୋଜନା ଅନୁସାରେ ଏହି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଆଇଜି ।
ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ଯେ, ସେ ଦୀର୍ଘ ବର୍ଷରୁ ମାଓ ସଙ୍ଗଠନରେ ଥିଲେ । ହେଲେ ଉପରିସ୍ଥ ମାଓ ନେତାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିଲେ । ଏଥିସହ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରତି ଆକୃଷ୍ଟ ହୋଇ ସେ ମାଓ ସଂଗଠନ ଛାଡିଥିବାର କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର