ଜଗତସିଂହପୁର:କଲବଲ କରୁଛି ଅଘୋଷିତ ବିଜୁଳି କାଟ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘୋଷିତ ବିଜୁଳି କାଟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଜଗତସିଂହପୁର ସହର ଠାରୁ ଆରମ୍ଭ କରି ଶିଳ୍ପ ନଗରୀ ପାରାଦ୍ୱୀପ ପର୍ଯ୍ୟନ୍ତ ସବୁଠାରେ ଅଘୋଷିତ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ କରିଛନ୍ତି ବାସିନ୍ଦା । ଯାହାକୁ ନେଇ ଲୋକେ ଗରମରେ ଅସ୍ତବ୍ୟସ୍ତ ହେଉଛି । ଗତ ସପ୍ତାହ ହେବ ଜଗତସିଂହପୁର ସହରରେ ପାରଦ 35 ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ 9 ପରେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି ।
ଗରମକୁ ନଜରରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ହେଲେ ଅଘୋଷିତ ବିଦ୍ୟୁତ କାଟ ଫଳରେ ଲୋକେ ଘର ଭିତରେ ରହିବା କଷ୍ଟକର ହୋଇପଡୁଛି । ସହରାଞ୍ଚଳରେ ଦିନକୁ 4ରୁ 5ଘଣ୍ଟା ବିଦ୍ୟୁତ କାଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ କଥା ନକହିବା ଭଲ । ଗ୍ରାମାଞ୍ଚଳରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜଗତସିଂହପୁରର ବରିଷ୍ଠ ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ ଓ ଆଡଭୋକେଟ ବାସୁଦେବ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ସହିତ ଯଦି ଏହି ସମସ୍ୟାକୁ ଦୂର ନକରାଯାଏ ତେବେ ଉପଭୋକ୍ତା ମାନେ ଆନ୍ଦୋଳନ କରିବାକୁ ଧମକ ମଧ୍ୟ ଦେଇଛନ୍ତି ।