ଓଡିଶା

odisha

By ETV Bharat Odisha Team

Published : Mar 17, 2024, 7:52 AM IST

ETV Bharat / state

NIT ରାଉରକେଲାରେ ଛାତ୍ର ଅସନ୍ତୋଷ; ହଷ୍ଟେଲରେ ନିମ୍ନମାନର ଖାଦ୍ୟ ପାଇଁ ଗର୍ଜିଲେ ପିଲା

NIT Rourkela Student Protest: IT ରାଉରକେଲାରେ ଛାତ୍ରଛାତ୍ରୀ ଅସନ୍ତୋଷ । ବର୍ଦ୍ଧିତ ଫି ସତ୍ତ୍ବେ ମେସରେ ନିମ୍ନମାନର ଖାଦ୍ୟ ମିଳୁଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ରାଉରକେଲା NITରେ ଛାତ୍ର ଛାତ୍ରୀ ଅସନ୍ତୋଷ
ରାଉରକେଲା NITରେ ଛାତ୍ର ଛାତ୍ରୀ ଅସନ୍ତୋଷ

NIT ରାଉରକେଲାରେ ଛାତ୍ର ଛାତ୍ରୀ ଅସନ୍ତୋଷ

ରାଉରକେଲା: NIT ରାଉରକେଲାରେ ଛାତ୍ରଛାତ୍ରୀ ଅସନ୍ତୋଷ । ବର୍ଦ୍ଧିତ ଫି ସତ୍ତ୍ବେ ହଷ୍ଟେଲ ମେସରେ ନିମ୍ନମାନର ଖାଦ୍ୟ ମିଳୁଥିବାରୁ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଛାତ୍ରଛାତ୍ରୀ । ତେବେ ରାଉରକେଲା NITର ମେସଗୁଡିକରେ ନିମ୍ନମାନର ଖାଦ୍ୟ ପରଷା ଯାଉଥିବା ଅଭିଯୋଗ ନେଇ ଅତୀତରେ ଅନେକ ଥର ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ଏବେ ପୁଣି ଏହି ଘଟଣାର ପୁନରାବୃତ୍ତି ହୋଇଛି । ସେମିଷ୍ଟର ପିଛା ପ୍ରତ୍ୟେକ ଛାତ୍ରଛାତ୍ରଙ୍କ ଖାଇବା ଖର୍ଚ୍ଚ ୧୭ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି । ହେଲେ ସେହି ଅନୁଯାୟୀ ମେସ୍ ତଦାରଖ ଦାୟିତ୍ଵରେ ଥିବା ଅଧିକାରୀ ଖାଦ୍ୟର ପରିମାଣ ଓ ମାନ ବୃଦ୍ଧି କରୁନଥିବା ଅଭିଯୋଗ ହୋଇଛି ।

ଗତ ଜାନୁଆରୀ ମାସରୁ ଏଭଳି ସମସ୍ୟା ଲାଗି ରହିଛି । ଯାହାର ପ୍ରତିବାଦରେ ଶନିବାର ଶହ ଶହ ଛାତ୍ରଛାତ୍ରୀ ମୁଖ୍ୟ ୱାର୍ଡେନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ କରିଥିଲେ । ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଉତ୍ତେଜିତ ଛାତ୍ରଛାତ୍ରୀ ୱାର୍ଡେନଙ୍କୁ ଘେରିଥିଲେ ଏବଂ ଭିଡିଓରେ ପିଲାଙ୍କ ସହ NITର ପ୍ରଫେସର ପାଟିତୁଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୂର୍ବ ମେସ୍ ଫି ଅପେକ୍ଷା ଅଧିକ ୩ ହଜାର ଟଙ୍କା ବୃଦ୍ଧି କରାଯାଇଥିଲେ ମଧ୍ୟ ଖାଦ୍ୟର ପରିମାଣ ଓ ମାନ ବୃଦ୍ଧି କରାଯାଉନାହିଁ କାହିଁକି ବୋଲି ଛାତ୍ରଛାତ୍ରୀ ୱାର୍ଡେନଙ୍କୁ ପ୍ରଶ୍ନ କରିଥିଲେ ।

କେବଳ ସେତିକି ନୁହେଁ, ବର୍ଦ୍ଧିତ ୩ ହଜାର ଟଙ୍କା ମେସ୍ ଚଳାଉଥିବା ଠିକା ସଂସ୍ଥାକୁ ଦିଆଯାଉ ନାହିଁ ତ କୁଆଡ଼େ ଯାଉଛି ବୋଲି ପଚାରିଥିଲେ । ହେଲେ ୱାର୍ଡେନ ଛାତ୍ରଛାତ୍ରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ବରଂ କାହିଁକି ଏଠାରେ ଧାରଣା ବସିଛ, ତୁମକୁ ପ୍ରତିବାଦ କରିବାକୁ କିଏ କହିଲା ବୋଲି ଓଲଟା ଧମକଚମକ ଦେଇଥିଲେ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜଗତସିଂହପୁରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ଅନ୍ଦୋଳନକୁ ଓହ୍ଲାଇଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ

ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏନ୍‌ଆଇଟି ଅଧିକାରୀମାନେ ପହଞ୍ଚି ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ହେଲେ କିଛି ଫଳ ମିଳିନଥିଲା । ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ଏନ୍‌ଆଇଟି ଭଳି ଜାତୀୟ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଅଧିକାଂଶ ସମୟରେ ନିମ୍ନମାନର ଖାଦ୍ୟ ପରଷା ଯାଉଛି । ପ୍ରତିବାଦ କଲେ କେହି ଶୁଣୁ ନାହାନ୍ତି । ନିକଟରେ ସେମିଷ୍ଟର ପିଛା ଖାଇବା ଖର୍ଚ୍ଚ ୧୭ ହଜାରରୁ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ହେଲେ ଖାଦ୍ୟର ମାନ ବଢୁନାହିଁ । ଏନ୍‌ଆଇଟି କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ନଦଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

NIT ରାଉରକେଲାରେ ମୋଟ ୯ଟି ହଷ୍ଟେଲ ରହିଛି । ଏଠାରେ ପ୍ରାୟ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଆନ୍ଦୋଳନ ବନ୍ଦ କରିଛନ୍ତି ଏବଂ ଆଗାମୀ ଦିନରେ ଖାଦ୍ୟର ମାନ ନ ବଢ଼ିଲେ ପୁଣି ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଶୁଣାଇଛନ୍ତି । ତେବେ ଏ ସମ୍ପର୍କରେ ରାଉରକେଲା NIT ଲୋକ ସମ୍ପର୍କ ବିଭଗ ସହ ଆଲୋଚନା କରିବା ପାଇଁ ଯୋଗାଯୋଗ କରାଯାଇଥିଲା । ହେଲେ ଏନେଇ କୌଣସି ପ୍ରତିକ୍ରିୟା ବର୍ତ୍ତମାନ ଯାଏଁ ମିଳି ପାରିନାହିଁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details