କଟକ:ଆଜି ବି ଥମୁନି ଯୌତୁକ ପାଇଁ ବଧୂ ହତ୍ୟା ଘଟଣା । ପୁଣି ସାମ୍ନାକୁ ଆସିଲା ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଚାଲିଗଲା ନବ ବଧୂର ଜୀବନ । ବାହାଘରକୁ 20 ଦିନ ନ ପୂରୁଣୁ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପ ଘର ଲୋକ । କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ଆଦ୍ୟାଶା ସୁଭଦର୍ଶିନୀ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟକୁ ନେଇ ଏଭଳି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ 11 ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଆଦ୍ୟାଶା ସୁଭଦର୍ଶିନୀ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଟୁଟୁ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛିଦିନ ପରେ ପୁଅ ଘର ପରିବାର ନବ ବିବାହିତା ବଧୂଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ । ଏପିରିକି ଫୋନ ଯୋଗେ ଝିଅ କୌଣସି କାମ କରୁନଥିବା କହି ଶାଶୁଘର ଲୋକ ଗାଳି ଗୁଲଜ କରୁଥିବା ନେଇ ଅଭିଯୋଗ କରିଛନ୍ତି ମୃତକ ନବବଧୁଙ୍କ ବାପା ଅଜୟ ମହାପାତ୍ର ।
ତେବେ ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ, ବିବାହର କିଛିଦିନ ପରେ ଶାଶୁଘର ଲୋକେ ତାଙ୍କ ଝିଅକୁ ନିଯ୍ୟାତନା ଦେଉଥିଲେ । ଗତକାଲି ଆଦ୍ୟାଶାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଛାତିରେ ଯନ୍ତ୍ରଣା ହେବା ପରେ ଶାଶୁଘର ଲୋକ ଆଦ୍ୟାଶାଙ୍କୁ କିଛି ପିଇବାକୁ ଦେଇଥିଲେ । ଏହାପରେ ଆଦ୍ୟାଶାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତରୁ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଏସସିବି ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ କିଛି ସମୟର ଚିକିତ୍ସା ପରେ ସେଠାରେ ଆଦ୍ୟାଶାଙ୍କର ମୃତ୍ୟ ହୋଇଥିଲା ।