ମାଲକାନଗିରି:ସ୍ବଳ୍ପ ବର୍ଷାରେ ଭାଙ୍ଗିଲା ନବନିର୍ମିତ ବିମାନବନ୍ଦର ପାଚେରୀ । ମାଲକାନଗିରି ନୂତନ ନିର୍ମାଣଧୀନ ବିମାନବନ୍ଦରର ପାଚେରି ଭୁଶୁଡି଼ ପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ସ୍ବଳ୍ପ ବର୍ଷା ହୋଇଛି ଯେଉଁଥିରେ ମାଲକାନଗିରି ବିମାନବନ୍ଦରର ପାଚେରି ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡ଼ିଛି । ପୂର୍ବ ପାର୍ଶ୍ବରେ ୪୦ ମିଟରରୁ ଊର୍ଦ୍ଧ୍ବ ଭୁଶୁଡି ପଡ଼ିଥିବା ବେଳେ ସମାନ ଭାବରେ ପଶ୍ଚିମ ପାର୍ଶ୍ବରେ ମଧ୍ୟ ପାଖାପାଖି ୪୦ମିଟରରୁ ଊର୍ଦ୍ଧ୍ବ ଭୁଶୁଡିଛି ।
ନିର୍ବାଚନର କିଛି ଦିନ ପୂର୍ବେ ଏହି ବିମାନବନ୍ଦରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କର ଶାସନରେ ଲୋକାର୍ପଣ କରିଥିଲେ । ୨୩୩ ଏକର ଜମିରେ ନିର୍ମିତ ବିମାନବନ୍ଦର ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବରେ ଏହାକୁ ଲୋକାର୍ପଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଘରୋଇ ସଂସ୍ଥା ହାତରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଟେକି ଦେଇଥିଲେ ସରକାର । ଟିଟିସିପିଏଲ (ତାରା ତାରିଣୀ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ) ନାମକ କମ୍ପାନୀ ଦ୍ଵାରା ନିର୍ମିତ କାର୍ଯ୍ୟର ତୀକ୍ଷ୍ଣ ନଜର ରଖିବା ସହିତ ଜିଲ୍ଲା ପ୍ରଶାସନ ବିମାନବନ୍ଦର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିଲେ । ତେବେ ବର୍ତ୍ତମାନ କାନ୍ଥ ଭୁଶୁଡିବା ଘଟଣା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସମୟରେ ସମାନ ଭାବରେ କାନ୍ଥ ଭୁଶୁଡି ୨ ଶ୍ରମିକ ମୃତ୍ୟୁବରଣ କରିଥିଲେ । ଏହାସହ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ପୁଣି ସ୍ବଳ୍ପ ବର୍ଷାରେ ଏଭଳି କାନ୍ଥ ଭୁଶୁଡି ପଡ଼ିବା ଘଟଣା କେଉଁଠି ନାଁ କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।