ସମ୍ବଲପୁର: ବୁର୍ଲା ଭୀମସାରରୁ ନବଜାତ ଶିଶୁପୁତ୍ର ଚୋରି ଘଟଣା । ସମ୍ବଲପୁର ରେଙ୍ଗାଲି ସ୍ଥିତ ଗଣେଶ ନଗରରୁ ଚୋରି ହୋଇଥିବା ଶିଶୁପତ୍ରକୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶିଶୁକୁ ପ୍ରଥମେ ବୁର୍ଲା ମେଡିକାଲକୁ ନିଆଯାଇ ଏସଏନସିୟୁରେ ରଖାଯାଇଛି । ଏକ ମେଡିକାଲ ଟିମ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଶିଶୁକୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ପୋଲିସ ଅଟକ ରଖିଛି । ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଥିଲା ।
ଶିଶୁପୁତ୍ର ଉଦ୍ଧାର:
ଶିଶୁପୁତ୍ରକୁ ମହିଳା ଜଣକ ମେଡ଼ିକାଲରୁ ଚୋରି କଲା ପରେ ଏକ ଅଟୋ ଜରିଆରେ ମେଡିକାଲରୁ ଅଇଁଠାପାଲି ବସଷ୍ଟାଣ୍ଡ ନିକଟକୁ ଯାଇଥିଲେ । ସେଠାରୁ ପୁଣି ଆଉ ଏକ ଗାଡିରେ ରେଙ୍ଗାଲି ଗଣେଶ ନଗର ସ୍ଥିତ ତାଙ୍କ ଭଡା ଘରକୁ ଯାଇ ଲୁଚି ଯାଇଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ମହିଳାଙ୍କ ଧରିବା ପାଇଁ ତଦନ୍ତ ଚଳାଇଥିଲେ । ପୋଲିସ ପକ୍ଷରୁ ଚୋରକୁ ଧରିବା ପାଇଁ ୪ଟି ଟିମ ଗଠନ କରାଯାଇଥିଲା । ଆଜିି ସମ୍ବଲପୁର ରେଙ୍ଗାଲିର ଗଣେଷ ନଗରରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଅଟକ ପଚରାଉଚରା କରୁଛି ପୋଲିସ । ତେବେ ଶିଶୁକୁ ନିଜେ ଲାଳନପାଳନ ପାଇଁ ନେଉଥିଲେ ନା ଆଉ କାହାକୁ ବିକ୍ରି କରିବା ପାଇଁ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
୨ ଜଣ ଅଟକ:
ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, "ଚୋରି ହୋଇଥିବା ଶିଶୁପୁତ୍ରକୁ ଆଜି ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଶିଶୁପୁତ୍ରକୁ ଚୋରି କରିବା ପରେ ରେଙ୍ଗାଲି ସ୍ଥିତ ଗଣେଶ ନଗରରେ ନେଇ ରଖିଥିବା ଖବର ମିଳିଥିଲା । ଗଠନ ହୋଇଥିବା ପୋଲିସ ଟିମ୍ ସେଠାକୁ ଯାଇ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ମହିଳାଙ୍କର ପରିଚୟ ମିଳିଛି । ତାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ଅଛନ୍ତି । ବର୍ତ୍ତମାନ ତଦନ୍ତ ଚାଲିଛି । ଏହାପରେ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ଜଣାପଡ଼ିବ ।"