ନୂଆପୋଲରେ ଭୟାବହ ଅଗ୍ନିକାଣ୍ଡ, ୫ ଦୋକାନ ପୋଡ଼ି ପାଉଁଶ ଜଗତସିଂହପୁର:ଆଜି(ସୋମବାର) ଭୋରରୁ ଜଗତସିଂହପୁର ସଦର ତହସିଲ ଅନ୍ତର୍ଗତ ନୂଆପୋଲ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ଦୋକାନୀ ଏହି ଘଟଣା ପରେ ଦମକଳ ବିଭାଗକୁ ଜଣାଇବା ପରେ ଦମକଳ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ଘଟଣାସ୍ଥଳରେ ଜଗତସିଂହପୁର ତହସିଲଦାର ପହଞ୍ଚି କ୍ଷତିଗ୍ରସ୍ତ ଦୋକାନୀଙ୍କ ସହିତ ଆଲୋଚନା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସୋମବାର ଭୋର ୫ଟା ସମୟରେ ଏକ ପରିବା ଦୋକାନରେ ହଠାତ ନିଆଁ ଲାଗିଥିଲା । ସେହି ଦୋକାନରେ କେହି ନଥିବାରୁ ନିଆଁ ବ୍ୟାପି ଯାଇଥିଲା । ପରେ ଏକ ଫଳ ଦୋକାନ, ଏକ ପାନ ଦୋକାନ, ବିସ୍କୁଟ ଦୋକାନ ଆଦି ପ୍ରାୟ ୫ରୁ ଅଧିକ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ନିଆଁ ଲାଗିଥିବା ଏକ ଦୋକାନ ଭିତରେ ଜଣେ ଶୋଇଥିଲେ । ପ୍ରବଳ ତାତି ଅନୁଭବ କରିବାରୁ ସେ ଉଠି ପଡିଥିଲେ । ଉଠି ଦେଖିଲା ବେଳକୁ ଦୋକାନରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ଯାଉଛି । ଏହାଦେଖି ସେ ଚିତ୍କାର କରିଥିଲେ ।
ଏହା ବି ପଢନ୍ତୁ- ମୋବାଇଲ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ
ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅନ୍ୟ ଦୋକାନୀମାନେ ଉଠି ପଡିବା ସହ ଦମକଳ ବିଭାଗକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇ ଯିବାରୁ ୫ରୁ ଅଧିକ ଦୋକାନୀ ସର୍ବସ୍ବ ହରାଇଛନ୍ତି । ଆଜି ଦିନ ୧୧ଟା ସମୟରେ ଜଗତସିଂହପୁର ତହସିଲଦାର ଆସି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିବା ସହିତ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଛି ନାଁ କେହି ଦୁର୍ବୃତ୍ତ ଦୋକାନ ଗୁଡ଼ିକରେ ନିଆଁ ଲଗାଇ ଦେଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।
କିଛି ଦୋକାନୀଙ୍କ କହିବାନୁସାରେ ଏହି ନୂଆପୋଲ ଅଞ୍ଚଳରେ ଏକ ଚୋରାମଦ ବ୍ୟବସାୟ ହେଉଥିଲା । ମଦ ନିଶାରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ବ୍ୟବସାୟୀ ସନ୍ଦେହ କରୁଛନ୍ତି । କିନ୍ତୁ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନି ବିପନ୍ନ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ବିଭିନ୍ନ ମହଲ ଦାବି ହେଉଛି । ଯେଉଁମାନଙ୍କର ଦୋକାନ କ୍ଷତିଗ୍ରସ୍ତ ହୋଇଛି ସେମାନେ ଏହି ଦୋକାନରୁ ହିଁ ଯାହା ରୋଜଗାର ହେଉଥିଲା ସେଥିରେ ନିଜର ପରିବାର ଭରଣ ପୋଷଣ କରି ଆସୁଥିଲେ । ଏବେ ଅଗ୍ନିକାଣ୍ଡରେ ଦୋକାନ ଗୃହ ସମ୍ପୂର୍ଣ୍ଣ ପୋଡି ଯାଇଥିବାରୁ ସମସ୍ତେ ବେସାହାରା ହୋଇ ପଡିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର