ଭୁବନେଶ୍ବର:ଆଜିଠୁ ଆରମ୍ଭ ହୋଇଛି 'ଉଦ୍ଭବ ୨୦୨୪' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏଥିରେ ୨୨ଟି ରାଜ୍ୟର ୧୩ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ବିର୍ସା ମୁଣ୍ଡା ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା ଏକ ପ୍ରୟାସ । ବିଶେଷ ଭାବରେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା ଭଳି ଅନେକ ରାଜ୍ୟର ଛାତ୍ରଛାତ୍ରୀ ଉତ୍ସବରେ ସାମିଲ ହୋଇଛନ୍ତି ।
ଉଦ୍ଭବ-୨୦୨୪:
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,"ପାରମ୍ପରିକ ନୃତ୍ୟ, ସଙ୍ଗୀତ, ବିଭିନ୍ନ ପ୍ରକାର ପ୍ରତିଭାକୁ ସମ୍ମାନ ଦେବା ପାଇଁ ପିଲାଙ୍କୁ ଆଉ ଏକ ନୂଆ ଦିଗ ଦେଖାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜିତ କରାଯାଇଛି । ବିଭିନ୍ନ ରାଜ୍ୟର ପରମ୍ପରା ସହ ସମସ୍ତେ ଜାଣିବେ ଏବଂ ଯୋଡି ହୋଇପାରିବେ । ସମସ୍ତ ଜନଜାତି ପିଲାଙ୍କ ଭିତରେ ଦକ୍ଷତାକୁ ବଢ଼ାଇବା ପାଇଁ ଏହା ଏକ ଭଲ ପ୍ରୟାସ । ୫ମ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଏହି କାର୍ଯ୍ୟକ୍ରମ ୫ ଦିନ ଚାଲିବ । ଯେଉଁମାନେ ଏଠାରୁ ସିଲେକ୍ସନ ହେବେ, ସେମାନେ NCERT ଫାଇନାଲରେ ଯୋଗଦେବେ ।"
ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ:
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,"ବିଭିନ୍ନ ରାଜ୍ୟର ଭାଷା, କଳା, ପରମ୍ପରାର ଆଦାନ ପ୍ରଦାନ ଏହି କାର୍ଯ୍ୟକ୍ରମ ଦ୍ୱାରା ହୋଇପାରିବ। ଆଗାମୀ ଦିନରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନିଜର ଭଲ ପ୍ରଦର୍ଶନ କରିପାରିବେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଏକଲବ୍ୟ ମଡେଲ ସ୍କୁଲ ହୋଇଛି । ପିଲାମାନଙ୍କ ଦକ୍ଷତା ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ । "
ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେଲା ‘ଉଦ୍ଭବ’:
ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହୋଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪-‘ଉଦ୍ଭବ’ । ଏହା ଆଜିଠାରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ନ୍ୟାସନାଲ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି ।
୧୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ:
୨୨ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ୧୩୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୨୫୦ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହେଉଛି । ନୃତ୍ୟ, ସଙ୍ଗୀତ, ଡ୍ରାମା, ଥିଏଟର, ଚିତ୍ରାଙ୍କନ, ଭିଜୁଆଲ୍ ଆର୍ଟ, ବକୃତା ଭଳି ୪୭ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯିବ । ଯାହା ଫଳରେ କି ଛାତ୍ରଛାତ୍ରୀମାନେ ପରସ୍ପରର ସଂସ୍କୃତି, ଐତିହ୍ୟ, ଭାଷା, ସାହିତ୍ୟ, ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ । ଅଭିନବ ଏବଂ ସୃଜନଶୀଳ କର୍ମଶାଳାରେ ଯୋଗ ଦେଇ ପିଲାମାନେ ନୂତନ କୌଶଳ ବିଦ୍ୟା ଶିଖିପାରିବେ । ଏଥିସହ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ପ୍ରତ୍ୟେକ ଛାତ୍ରଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।