ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଥମୁନି ରାଜନୀତି । ନବ ଦାସ ହତ୍ୟା ମାମଲାରେ ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସ କାହିଁକି ସିବିଆଇ ତଦନ୍ତ ଦାବି କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇ ଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଦୀପାଳି ଦାସ । ସରକାର ଯଦି ସିବିଆଇ ତଦନ୍ତ ଚାହୁଁଛନ୍ତି ମୋ ପରିବାର ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ ବୋଲି କହିଛନ୍ତି ଦୀପାଳି । ଏଥିସହ ଏହି ହତ୍ୟା ଘଟଣାର ସିବିଆଇ(CBI) ତଦନ୍ତ ଦାବି କରିଛନ୍ତି ।
ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ପରିବାର ଦାବି କଲା CBI ତଦନ୍ତ :
ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆସନ୍ତା 29 ଜାନୁଆରୀରେ 2 ବର୍ଷ ପୂରିବାକୁ ଯାଉଛି । ଏହା ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀପାଳି ଦାସକହିଛନ୍ତି ଯେ "ସରକାର ଯଦି ସିବିଆଇ ତଦନ୍ତ ଚାହୁଁଛନ୍ତି ମୋ ପରିବାର ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରନ୍ତୁ । "
ସିବିଆଇ ତଦନ୍ତ ଦାବି କଲେ ଝିଅ ଦୀପାଳି:
ଦୀପାଳି ଦାସକହିଛନ୍ତି, ‘ଗତ ବିଧାନସଭା ଅଧିବେଶନରେ ବିଜେପିର ୨ ଜଣ ବିଧାୟକ ଓ ଅନ୍ୟାନ୍ୟ ବିଜେପି ନେତା ମୋ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ସେମାନେ କହୁଛନ୍ତି, ସିବିଆଇ ତଦନ୍ତ କାହିଁକି ହୋଇନି ? ମୁଁ କାହିଁକି କହୁନି ? ମୋର ଏବଂ ପରିବାର ତରଫରୁ ଏହା ହିଁ ପ୍ରଶ୍ନ ରହିଛି । ଆପଣ କଣ ଆଗକୁ ସିବିଆଇ ତଦନ୍ତକୁ ଆଗକୁ ବଢାଇବେ କି ? ଯେଉଁ ପରି ଭାବେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଆମକୁ ଆକ୍ଷେପ କରୁଛନ୍ତି । ସେମାନେ ଆମ ସହ ଛିଡ଼ା ହୋଇ ତଦନ୍ତକୁ ଆଗକୁ ନେବେ କି ? ସେହିପରି ବିନା କୌଣସି କାଗଜପତ୍ରରେ ମୋ ଭାଇକୁ ଛତିଶଗଡରେ ସେମାନେ ଅଟକ ରଖିଥିଲେ । ଆଜି କାହିଁକି ମୋ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଲେଖା ମାଗୁଛନ୍ତି ? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବି ଆମ ପରିବାରକୁ ଡକାଯାଉ ଏବଂ ଆମ ସହ ଆଲୋଚନା କରି ଆଗକୁ ବଢନ୍ତୁ ।’
ନବ ଦାସ ହତ୍ୟାକୁ ପୂରିବାକୁ ଯାଉଛି ୨ ବର୍ଷ:
୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ାର ଟାଣୁଆ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ କାରରୁ ଓହ୍ଲାଇବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରିଥିଲେ । ଫଳରେ ଗୁରୁତର ହୋଇପଡିଥିଲେ ନବ ଦାସ । ପ୍ରଥମେ ଝାରସୁଗୁଡାରେ ଚିକିତ୍ସା କରାଯାଇଥିଲା । ପରେ ଭୁବନେଶ୍ବର ଅଣାଯାଇଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।