ଭୁବନେଶ୍ୱର: ସୁଧ କାରବାର ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ରାଜଧାନୀର ପଳାଶପଲ୍ଲୀ ଛକରେ ଗତକାଲି (ସୋମବାର) ବିଳମ୍ବିତ ସଂଧ୍ୟାରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଶିବ ଶ୍ରୀଚନ୍ଦନ ଓ ସେ ଜଣେ ରକ୍ତଦାତା ତଥା ସମାଜସେବୀ ଭାବେ ପରିଚିତ । ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଆଧାରରେ ଏୟାରପୋର୍ଟ ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
- ସୁଧ କାରବାର ପାଇଁ ଆକ୍ରମଣ ସନ୍ଦେହ !
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଶିବ ଶ୍ରୀଚନ୍ଦନ ପଳାଶପଲ୍ଲୀ ଛକ ନିକଟରେ ଥିବା ସମୟରେ କିଛି ଯୁବକ ଆସି ତାଙ୍କୁ ମାଡ ମାରିଥିଲେ । ଏହାର କିଛି ସମୟ ମଧ୍ୟରେ ପୁଣି ଆଉ ଏକ ଯୁବକଙ୍କ ଗୋଷ୍ଠୀ ଆସି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ କିଛି ଲୋକ ଶିବଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ମୁହଁ ଓ ମୁଣ୍ଡ ସମେତ ଶରୀର ଏକାଧିକ ସ୍ଥାନରେ ଶକ୍ତ ଆଘାତ ସହ ରକ୍ତ ସ୍ରାବ ମଧ୍ୟ ହୋଇଛି । ତେବେ ଏହି ଆକ୍ରମଣ ପଛରେ ସୁଧ କାରବାର ସମ୍ପର୍କିତ କାରଣ ଥିବା ପ୍ରାଥମିକ ଭାବେ ଜଣାପଡିଛି ।