BARGARH CANDIDATES FILE NOMINATION (etv bharat odisha) ବରଗଡ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ କରିବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସପ୍ତମ ଦିନରେ ବରଗଡ ଲୋକସଭା ଆସନ ପାଇଁ ବିଜେଡି ଦଳର ସାଂସଦ ପ୍ରାର୍ଥୀ ପରିଣିତା ମିଶ୍ର ନାମାଙ୍କନ ଦାଖଲ କରିଥିବା ବେଳେ ବରଗଡ ବିଧାନସଭା ଆସନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ଅତାବିରା ବିଧାନସଭା ଆସନ ପାଇଁ ବିଜେପି ଦଳର ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭଟଲି ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବ୍ରହ୍ମା ମହାକୁଡ ମଧ୍ୟ ନାମାଙ୍କନ ଭରିଛନ୍ତି । ପଦ୍ମପୁର ବିଧାନସଭା ଆସନ ପାଇଁ ଆମ ଆଦମି ପାର୍ଟିର ବିଧାୟକ ପ୍ରାର୍ଥୀ ବାଲ୍ମୀକି ନାଏକ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ଟଙ୍କଧର ସାହୁ ମଧ୍ୟ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ 9ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଷଷ୍ଠ ଦିନରେ ବରଗଡ଼ରେ ନାମାଙ୍କନ ଭରିଲେ ୧୪ ପ୍ରାର୍ଥୀ, ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ - BARGARH CANDIDATES FILE NOMINATION
ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ରହିଥିବାବେଳେ ପାଖାପାଖି ସମସ୍ତ ଦଳର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ତେବେ ସମସ୍ତ ଦଳର ପ୍ରାର୍ଥୀମାନେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ରାଜନୈତିକ ଦଳ ଗୁଡିକ ଶକ୍ତି ପ୍ରଦର୍ଶନ କରି ନିର୍ବାଚନୀ ହାୱା ତିଆରି କରିଛନ୍ତି । ପ୍ରବଳ ଗ୍ରୀଷ୍ମରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଥିବାବେଳେ ଶକ୍ତି ପ୍ରଦର୍ଶନରେ ଲାଗିପଡିଛନ୍ତି ପ୍ରାର୍ଥୀ । ଦୁଇ ବିପକ୍ଷୀ ଦଳ ଟକ୍କର ଦେଇ ପାଓ୍ବାର ଶୋ କରୁଛନ୍ତି । ନାମାଙ୍କନ ଭରିବା ସମୟରେ ସମସ୍ତ ପ୍ରାର୍ଥୀଙ୍କ ଭିଡ ଅପେକ୍ଷା ଆଜି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ବିରାଟ ରାଲିରେ ୨୨ ହଜାରରୁ ଅଧିକ ଲୋକଙ୍କ ହୋଇଥିବା ଭିଡ ଆଜି ବିରୋଧୀଙ୍କୁ ଚିନ୍ତାରେ ପକାଇଦେଇଛି ।
ଗୁରୁବାର ବରଗଡର ରାସ୍ତାଘାଟ ଜନ ସମୁଦ୍ର ଭଳି ମନେ ହେଉଥଲା । ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲାଗିରହିଥିବା ଲୋକଙ୍କ ବିରାଟ ରାଲି ଦେଖି ବିରୋଧୀଙ୍କ ଅକଳ ଗୁଡୁମ ହୋଇଯାଇଛି । ଆଜିଯାଏଁ ବରଗଡ ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରବଳ ଲଢେଇ ହେବ ବୋଲି କହୁଥିବା ରାଜନୈତିକ ସମୀକ୍ଷକଙ୍କ ବୟାନ ଏବେ ପରିବର୍ତ୍ତନ ହୋଇଛି ଏବଂ ଏହାସଙ୍ଗେ ନିଶ୍ଚିତ ଭାବେ ବିଜେଡିର ଶକ୍ତିପ୍ରଦର୍ଶନ ପରେ ବରଗଡରେ ରାଜନୈତିକ ମାହୋଲରେ କିଛି ପରିବର୍ତ୍ତନ ଆସିଛି । ଆଜି ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ମେ ୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସମୟ ରହିଛି । ଆସନ୍ତା ୨୦ ତାରିଖରେ ମତଦାନ ଏବଂ ୪ ଜୁନରେ ଭୋଟ ଗଣତି ହେବ ।
ଇଟିଭି ଭାରତ, ବରଗଡ