ସରପ୍ରାଇଜ କରିବେ କି ନବୀନ ? ରାଜ୍ୟ ତଥା ଦଳର ହିତ ଦୃଷ୍ଟିରୁ ନିଷ୍ପତ୍ତି ନେବେ ସୁପ୍ରିମୋ : ଅମର ଭୁବନେଶ୍ବର: ଏପ୍ରିଲ ୩ ତାରିଖରେ ସରୁଛି ଓଡ଼ିଶାର ୩ ରାଜ୍ୟସଭା ଆସନର କାର୍ଯ୍ୟକାଳ । ଏହି ୩ ଆସନରେ ଫେବ୍ରୁଆରୀ ୨୭ ତାରିଖରେ ଭୋଟ ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ୩ ଆସନ ବିଜେଡି ଖାତାକୁ ଯିବାବେଳେ କିଏ ପ୍ରାର୍ଥୀ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୯ରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲେ ଉଭୟ ବିଜେପି ଓ ବିଜେଡି । ଯାହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ଏଥର ରାଜ୍ୟସଭା ନିର୍ବାଚନରେ ଏପରି କିଛି ଦେଖିବାକୁ ମିଳିବ, ନା’ ଆଉ କିଛି ସରପ୍ରାଇଜ ଦେବେ ବିଜେଡି ସୁପ୍ରିମୋ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।
ଅଧିକ ପଢନ୍ତୁ- ଫେବୃଆରୀ 27ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ 3 ଆସନ, ସରୁଛି ଅଶ୍ବିନୀ-ଅମର-ପ୍ରଶାନ୍ତଙ୍କ କାର୍ଯ୍ୟକାଳ
ଏପ୍ରିଲ ୩ ତାରିଖରେ ସରୁଛି ଓଡ଼ିଶାର ୩ ରାଜ୍ୟସଭା ଆସନର କାର୍ଯ୍ୟକାଳ । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ୩ ଆସନରେ ଫେବ୍ରୁଆରୀ ୨୭ ତାରିଖରେ ହେବ ଭୋଟ । ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଘୋଷଣା ହୋଇଥିବାରୁ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ସାଧାରଣ ନିର୍ବାଚନରେ ଯେଉଁ ବରିଷ୍ଠ ନେତା ଟିକେଟ ପାଇନଥାନ୍ତି, ସେମାନଙ୍କୁ ରାଜ୍ୟସଭାରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ । ଏଥର ଏହି ସୁଯୋଗ ମିଳିବ ନାହିଁ । ନୂଆ ଚେହେରା ନା ସସ୍ମିତ ପାତ୍ରଙ୍କ ପରି କାହାକୁ ରିପିଟ କରାଯିବ ତାହା ଚର୍ଚ୍ଚାରେ ରହିଛି ।
୨୦୧୯ରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲା ଉଭୟ ବିଜେପି ଓ ବିଜେଡି । ଯାହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ଏଥର ରାଜ୍ୟସଭା ନିର୍ବାଚନରେ ଏପରି କିଛି ଦେଖିବାକୁ ମିଳିବ ନା’ ଆଉ କିଛି ସରପ୍ରାଇଜ ଦେବେ ବିଜେଡି ସୁପ୍ରିମୋ ? ତା’ ଉପରେ ରହିଛି ସମସ୍ତଙ୍କ ନଜର । ଓଡ଼ିଶାର ରାଜ୍ୟସଭା ଗଣିତ କହୁଛି ବିଜେଡିର ୩ ପ୍ରାର୍ଥୀ ବିଜୟ ହେବେ । ଓଡିଶା ବିଧାନସଭା ଆସନ ସଂଖ୍ୟା ୧୪୭ । ବିଜେଡିର ୧୧୪ ଆସନ ଥିବାବେଳେ ୪ ଜଣ ଦଳରୁ ବହିଷ୍କୃତ ହୋଇଛନ୍ତି । ୪ ବହିଷ୍କୃତ ବିଧାୟକ ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ ଓ ସୁଧାଂଶୁ ଶେଖର ପରିଡା । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ଫାଙ୍କା ପଡିଛି ଦିଗପହଣ୍ଡି ଆସନ । ବିଜେପି ପାଖରେ ଅଛି ୨୨ ଆସନ । କଂଗ୍ରେସର ୯ ବିଧାୟକ, ସ୍ବାଧୀନ ୧, ସିପିଏମ ୧ ଅଛି । ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୭ ପ୍ରଥମ ପସନ୍ଦ ଭୋଟ ଆବଶ୍ୟକ । ଫଳରେ ୩ ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ୧୧୧ ଭୋଟ । ସ୍ବାଧୀନ ବିଧାୟକଙ୍କ ସମର୍ଥନ ମିଳିଲେ ୩ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହୋଇପାରିବ ବିଜେଡି । ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ସବୁ କ୍ଷେତ୍ରରେ ବିଜେଡିକୁ ସମର୍ଥନ କରି ଆସୁଥିବାରୁ ସେଥିରେ ସମସ୍ୟା ହେବନାହିଁ ।
ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ନିର୍ବାଚନ ଆୟୋଗ ଆରମ୍ଭ କରିଛନ୍ତି । ବ୍ୟବସ୍ଥା ଅନୁଯାୟୀ ସେ ପ୍ରକ୍ରିୟା କରୁଛନ୍ତି । ବିଜୁ ଜନତା ଦଳର ସୁପ୍ରିମୋ ତଥା ଆମ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ ସମୟରେ ନିଷ୍ପତ୍ତି ନେବେ । ନିର୍ବାଚନ ଆୟୋଗଙ୍କ ଗାଇଡ଼ଲାଇନ ଅନୁସାରେ ଯେଉଁ ସମୟରେ ନିଷ୍ପତ୍ତି ନେବା କଥା ନିଆଯିବ । ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବ । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେବାରେ ଅସୁବିଧା ଅନୁଭବ କରିନାହାନ୍ତି । ସବୁ ଦିଗକୁ ବିଚାର କରି ସେ ନିଷ୍ପତ୍ତି ନିଅନ୍ତି । ଯାହା ନିଷ୍ପତ୍ତି ନିଅନ୍ତି ତାହା ରାଜ୍ୟ ତଥା ଦଳର ହିତ ଦୃଷ୍ଟିରୁ ନିଅନ୍ତି । ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦିଅନ୍ତି । ସବୁ ଥର ରାଜ୍ୟସଭା ପ୍ରାର୍ଥୀ ଚୟନରେ ମୁଖ୍ୟମନ୍ତ୍ରୀ କିଛି ବାର୍ତ୍ତା ଦେଇଥାନ୍ତି । ଚଳିତ ଥର ସେମିତି କିଛି ଆଶା କରାଯାଉଛି । ତେଣୁ ଆଗାମୀ ନିଷ୍ପତ୍ତି ମଧ୍ୟ ସେମିତି କିଛି ରହିବ ।
ଇଟିଭି ଭାରତ, ଭୁବନେଶ୍ବର