ବଲାଙ୍ଗୀର:ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ ହେଲେ ବର୍ଷାର ଲୁଚକାଳି ଖେଳରେ ଚାଷୀ ହନ୍ତସନ୍ତ । ଜୁନ ମାସ ମଧ୍ୟ ଭାଗ ହେଲାଣି ହେଲେ ବଲାଙ୍ଗୀର ଜିଲ୍ଲାରେ ଏଯାଏଁ ଦେଖିବାକୁ ମିଳିନି ମୌସୁମୀ ପ୍ରଭାବ । ବିନା ବର୍ଷାରେ ଏବେଯାଏଁ ଆରମ୍ଭ ହୋଇପାରୁନି ଚାଷ କାର୍ଯ୍ୟ । ଜଳସେଚନ ବିହୀନ ଜିଲ୍ଲାରେ ଏବେ ଆଶା ଆଶଙ୍କାରେ ଚାଷୀ । ଚାଷୀ ଲୋୟର ଶୁକତେଲ ପ୍ରକଳ୍ପ ଉପରେ ଆଶାବାନ୍ଧି ବସିଥିବା ବେଳେ ଏବେସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।
Balangir farmers tension (ETV Bharat Odisha) ଜୁନ ମଧ୍ୟଭାଗ ହେଲାଣି ହେଲେ ଏଯାଏ ଶୁଖିଲା ପଡିଛି ଜମି । ରାଜ୍ୟରେ ମୌସୁମୀ ପ୍ରବେଶ କରିସାରିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଏଯାଏଁ ଦେଖିବାକୁ ମିଳିଲା ନାହିଁ ବର୍ଷା । ମରୁଡି ପ୍ରବଣ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଥିବା ବଲାଙ୍ଗୀର ଜିଲ୍ଲାର ଚାଷୀମାନେ ମୁଖ୍ୟତଃ ଚାଷ କାର୍ଯ୍ୟ ପାଇଁ ବର୍ଷା ଉପରେ ଆଶ୍ରୟ କରିଥାନ୍ତି । ହେଲେ ବର୍ଷା ଅଭାବରୁ ଏଯାଏଁ ଖରିଫ ଋତୁ ଚାଷ ଆରମ୍ଭ ହୋଇପାରିନାହିଁ ।
ଏହାମଧ୍ୟ ପଢନ୍ତୁ.. ଆସୁଛି ବର୍ଷା ଦିନ, ମୁକାବିଲା ପାଇଁ ଅନୁଗୋଳ-ବଲାଙ୍ଗୀରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Flood Preparation Meeting
ଜିଲ୍ଲାରେ ଅଖିମୁଠି ସହ ଚାଷ ଆରମ୍ଭ ହେଉଥିବା ବେଳେ ବର୍ଷାକୁ ଅନେଇ ବସିଛନ୍ତି ଚାଷୀ । ଜିଲ୍ଲାରେ ଜଳସେଚନର ସୁବିଧା ସେତେ ମାତ୍ରାରେ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଯେଉଁଥିପାଇଁ ସେମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି । ବଲାଙ୍ଗୀର ବୃହତ ଜଳସେଚନ ପ୍ରକଳ୍ପ ଲୋୟର ଶୁକତେଲ ଉଦ୍ଘାଟନ ପରେ କ୍ଷେତକୁ ପାଣି ଆସିବ ବୋଲି ଚାଷୀ ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେସୁଦ୍ଧା ପୂରଣ ହୋଇପାରିଲା ନାହିଁ । ଭୂତଳ ଜଳସେଚନ କାମ ଏପର୍ଯ୍ୟନ୍ତ ସରିନଥିବା ବେଳେ କେବେ ପାଣି ଆସିବ ସେନେଇ ଚିନ୍ତାରେ ଚାଷୀ । ତେବେ ନୂଆ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ସାରିବା ସହ କ୍ଷେତକୁ ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ।
ଅନ୍ୟପଟେ ଜିଲ୍ଲାର ଚାଷୀ ନେତା ସୌମେନ୍ଦ୍ର ପରିଛା କହିଛନ୍ତି ଯେ, ବଲାଙ୍ଗୀରରେ ଜଳ ସେଚନ ସୁବିଧା ଏଯାଏଁ ନଥିବା ସହିତ ସମାନ ଅଟେ ଏବଂ ବର୍ଷା ଉପରେ ହିଁ ଏଠିକାର ଚାଷ କାମ ନିର୍ଭର କରିଥାଏ । ହେଲେ ଏଥର ଏଯାଏଁ ବର୍ଷା ହୋଇ ନାହିଁ ଏବଂ ପୁଣି ମରୁଡି ସ୍ଥିତି ହେବ କି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି । ସେ ଆଉମଧ୍ୟ କହିଛନ୍ତି ଯେ, ଲୋୟର ଶୁକତେଲ ଉଦ୍ଘାଟିତ ହୋଇଥିଲେ ସୁଦ୍ଧା ଏ ବର୍ଷ କ୍ଷେତକୁ ପାଣି ଲାଗିବ ନାହିଁ । ଯାହାଦ୍ୱାରା ପାଣି ପାଇବାର ଆଶା ଏବର୍ଷ ନାହିଁ । ସେହିପରି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସୁଦ୍ଧା ଅନେକ ଅଞ୍ଚଳ ପାଣି ପାଇବାରୁ ବଞ୍ଚିତ ହେବେ ଏବଂ ପରିସ୍ଥିତି ଏବେ ଯାହା ରହିଛି ଆଗକୁ ମଧ୍ୟ ସମାନ ରହିବ ବୋଲି ସେ କହିଛନ୍ତି । ତେଣୁ ନୂଆ ସରକାର ଏଠିକାର ଜଳ ସେଚନ ପ୍ରତି ପ୍ରଥମେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର