ଭୁବନେଶ୍ବର:ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ବିହାର ଦୀର୍ଘ ବର୍ଷ ହେଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଛନ୍ତି । ହେଲେ କେନ୍ଦ୍ର ସରକାର କୌଣସି ବି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବା ସପକ୍ଷରେ ନାହାନ୍ତି । ଏହା ବଦଳରେ ମୋଦି ସରକାର ସେହିସବୁ ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି । ଆସନ୍ତା କେନ୍ଦ୍ର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ଜମ୍ମୁ-କାଶ୍ମୀର ଏହି ୬ଟି ରାଜ୍ୟର ବିକାଶ ତ୍ବରାନ୍ବିତ କରିବାକୁ ସ୍ପେଶାଲ ପ୍ୟାକେଜ୍ ପ୍ରଦାନ କରିବା ନେଇ ଚର୍ଚ୍ଚା ହେଉଛି । ଏହି ପ୍ୟାକେଜ ବିକାଶ ସୂଚକାଙ୍କ ଆଧାରରେ ଘୋଷଣା ହେବ ।
ବିକାଶ ସୂଚକାଙ୍କରେ ଓଡ଼ିଶା ତଳେ ରହିଛି । ପ୍ରତିବର୍ଷ ବାତ୍ୟା ପ୍ରଭାବିତ ହେଉଥିବାରୁ ବିଜେଡି ସାଂସଦମାନେ ଅନେକ ଥର ସଂସଦରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି । ତେଣୁ ଓଡ଼ିଶା ସମେତ ୬ଟି ରାଜ୍ୟରେ ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ଶକ୍ତି, କୃଷି ପ୍ରଭୃତି ପ୍ରକଳ୍ପ ଲାଗି କେନ୍ଦ୍ର ଆର୍ଥିକ ସହୟତା ପ୍ରଦାନ କରିପାରେ । ଏଥିପାଇଁ ଏବେ ବିଚାର ବିମର୍ଶ ଚାଲିଛି । ବଜେଟ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହ ଆଲୋଚନା କରି ପରାମର୍ଶ ଲୋଡିଛନ୍ତି ।
ଏନଡିଏ ୩.୦ ସରକାରରେ ବଡ଼ ଭାଗୀଦାର ହେଉଛନ୍ତି ଟିଡିପି ଓ ଜେଡିୟୁ । ଉଭୟ ନିଜ ନିଜର ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିଆସୁଛନ୍ତି । ତେବେ ପଞ୍ଚଦଶ ଅର୍ଥ କମିଶନ ରାଜ୍ୟମାନଙ୍କୁ ୪୨ ପ୍ରତିଶତ ପୁଞ୍ଜି ଦେଉଥିବାରୁ ଏହି ସ୍ବତନ୍ତ୍ର ପାହ୍ୟାର ଆବଶ୍ୟକତା ନାହିଁ । ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କୌଣସି ରାଜ୍ୟରୁ ସ୍ବତନ୍ତ୍ର ପାହ୍ୟା ମିଳିବନି ବୋଲି ପୂର୍ବରୁ ଜଣାଇଛନ୍ତି । ମାତ୍ର ଟିଡିପି ଓ ଜେଡିୟୁର ଦାବିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏକ ନୂଆ ଫର୍ମୁଲା ଆଣିବାକୁ ଯାଉଛନ୍ତି । ଏଥିରେ କିଛି ରାଜ୍ୟଗୁଡିକର ଆର୍ଥିକ ବିକାଶ ଲାଗି ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ୨୩ରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାକୁ ଯାଉଥିବା ବଜେଟରେ ଏହାର ପ୍ରତିଛବି ଦେଖିବାକୁ ମିଳିବ । ତେବେ ନୂଆ ଫର୍ମୁଲାରେ କେତେ ଫାଇଦା ମିଳିବ ସେନେଇ ଏବେ ଚର୍ଚ୍ଚା ଚାଲିଛି ।
ଅର୍ଥନୈତିକ ସମୀକ୍ଷକ କହିଛନ୍ତି, ନୀତି ଆୟୋଗର ନୂଆ ନିୟମ ଅନୁସାରେ ବର୍ତ୍ତମାନ କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଳିବା ସମ୍ଭବ ନୁହେଁ । କିନ୍ତୁ କେନ୍ଦ୍ରରେ ଥିବା ଏନଡିଏ ସରକାର ହେଉ କି ବିହାର, ଆନ୍ଧ୍ରପ୍ରଦେଶ, ସମସ୍ତ ରାଜ୍ୟର ବିକାଶ ପାଇଁ ପ୍ରତିବଦ୍ଧ । ଏହି ଦୃଷ୍ଟିରୁ ବିକାଶ ସୂଚକାଙ୍କ ଆଧାରରେ ଆଗାମୀ ବଜେଟରେ ୬ଟି ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନର ସମ୍ଭାବନା ରହିଛି । ଓଡ଼ିଶାକୁ ଏହି ସ୍ବତନ୍ତ୍ର ପ୍ୟାକେଜ ମିଳିଲେ ରାଜ୍ୟର ବିକାଶରେ ଡେଣା ଲାଗିବ ।
ସେପଟେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପିର ୯ ବର୍ଷ ମେଣ୍ଟ ସରକାର ଥିଲା, ସେତେବେଳେ କାହିଁକି ସ୍ବତନ୍ତ୍ର ରାଜ୍ୟା ପାହ୍ୟା ଘୋଷଣା କଲେ ନାହିଁ । ବିଜେପି ଏବେ ମହାନଦୀ ସମସ୍ୟାର ସମାଧାନ କରୁ ।
ଜାଣନ୍ତୁ କଣ ମାଗିଛି ରାଜ୍ୟ ବିଜେପି ସରକାର-
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍-ବଜେଟ ପରାମର୍ଶ ବୈଠକରେ ଆଗାମୀ କେନ୍ଦ୍ର ବଜେଟ ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେଇଥିଲେ । ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ତେବେ ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ କେନ୍ଦ୍ର ବଜେଟ ୨୦୨୪-୨୫ ରେ ଉପଯୁକ୍ତ ପଦକ୍ଷେପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଏହି ସବୁ ଦାବି ରଖିଥିଲେ ।
1- ଓଡିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦ୍ବୀପ ବନ୍ଦରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ।
2- ଭିତ୍ତିଭୂମି ବିକାଶକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ପୁଞ୍ଜିନିବେଶ ପାଇଁ ସ୍ବତନ୍ତ୍ର ସହାୟତା ଯୋଜନା ୨୦୨୪-୨୫ (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ ।