ଓଡିଶା

odisha

By ETV Bharat Odisha Team

Published : Jun 11, 2024, 5:11 PM IST

ETV Bharat / state

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟା, ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି କହିଲା କଂଗ୍ରେସ - Odisha Congress on Modi Cabinet

Odisha Congress on Modi Cabinet: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ପ୍ରତିନିଧିତ୍ବକୁ ନେଇ ନିନ୍ଦା କଲା ରାଜ୍ୟ କଂଗ୍ରେସ । ଓଡ଼ିଶାକୁ ଆଉ ମନ୍ତ୍ରୀ ପଦ ଦିଆଯିବା ଉଚିତ ବୋଲି କହିଲା ଦଳ । ଅଧିକ ପଢନ୍ତୁ

Odisha Congress on Modi Cabinet
Odisha Congress on Modi Cabinet (ETV Bharat Odisha)

ଭୁବନେଶ୍ବର: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ କ୍ୟାବିନେଟରେ ୭୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ୩୦ ଜଣଙ୍କୁ କ୍ୟାବିନେଟ ମିଳିଥିବା ବେଳେ ୪୧ ଜଣଙ୍କୁ ମିଳିଛି ରାଷ୍ଟ୍ର ମନ୍ତ୍ରୀ ପାହ୍ୟା । ସେମାନଙ୍କ ମଧ୍ୟରୁ ଓଡ଼ିଶାର 3 ଜଣଙ୍କୁ ମିଳିଛି ମନ୍ତ୍ରୀପଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ବିଭାଗ । ହେଲେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ପ୍ରତିନିଧିତ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି କଂଗ୍ରେସ । ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି ବୋଲି କହିଛି ରାଜ୍ୟ କଂଗ୍ରେସ ।

Odisha Congress on Modi Cabinet (ETV Bharat Odisha)

ଯେତେବେଳେ କମ ସଂଖ୍ୟକ ସାଂସଦ ନିର୍ବାଚିତ ହୋଇ ଦିଲ୍ଲୀ ଯାଉଥିଲେ ସେତେବେଳେ କେନ୍ଦ୍ରରେ ମନ୍ତ୍ରୀ ସଂଖ୍ୟା ଯେତିକି ଥିଲା ଆଜି ଓଡ଼ିଶାରେ ବିଜେପିର ଖୁବ ଉଚ୍ଚ ପ୍ରଦର୍ଶନ ହେଲା ପରେ ବି ସମାନ ମନ୍ତ୍ରୀ, ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଓଡିଶାରୁ ଏଥର ବିଜେପିର 20ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶାରେ ଏହା ହେଉଛି ବିଜେପିର ସର୍ବକାଳୀନ ରେକର୍ଡ । ଲୋକସଭାରେ ପୋଛି ନେଇଛି ଭାରତୀୟ ଜନତା ପାର୍ଟି ।

ଏନେଇ ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ରାଜ୍ୟବାସୀ ବିଜେପିକୁ ଅଧିକ ଜନ ସମର୍ଥନ ଦେଇଛନ୍ତି । କେନ୍ଦ୍ରରେ ଅଧିକ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଥିଲା ହେଲେ ପ୍ରଥମରୁ ନିରାଶ ହେବାକୁ ପଡିଲା । ଓଡ଼ିଶାବାସୀଙ୍କ ପ୍ରତି ଏହା ଅନ୍ୟାୟ । ଗତଥର 3ଜଣ ଥିଲେ ସେମାନଙ୍କର ଯେଉଁ ବିଭାଗ ଥିଲା ସେମାନଙ୍କୁ ସେହି ବିଭାଗ ମିଳିଛି । ଏନଡିଏରେ ସଂଖ୍ୟା ହେଉଛି 293, ବିଜେପିର ସଂଖ୍ୟା ହେଉଛି 241 ଜଣ ସାଂସଦ । ସଂସଦରେ ମୋଦି ଯାହା କହୁଥିଲେ 4ଜଣଙ୍କୁ ଜଣେ ମନ୍ତ୍ରୀ ଦିଆଯିବ, ଯଦି ସେ ଅଙ୍କ ଦେଖିବେ ଓଡ଼ିଶାରେ 5ଜଣ ମନ୍ତ୍ରୀ ହେବା କଥା । ଦକ୍ଷ ସାଂସଦ ବି ଅଛନ୍ତି । ଓଡ଼ିଶାର ଲୋକେ ତାଙ୍କୁ ବିଶ୍ବାସ କାହିଁକି କରିବେ ?"

ଏହା ବି ପଢନ୍ତୁ- ମୋଦି 3.0: ବଣ୍ଟାଗଲା ବିଭାଗ, ଜାଣନ୍ତୁ ଓଡ଼ିଶାର 3 ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ବ ?

ସେହିପରି ବରିଷ୍ଠ ରାଜନେତା ତଥା ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, "ଓଡ଼ିଶାରେ ବିଜେପିର ବିପୁଳ ଜନ ସମର୍ଥ କୁ ହତାଦର କରିଛନ୍ତି ମୋଦି । ତେଣୁ ଏହା ଓଡିଶା ପ୍ରତି ଅନ୍ୟାୟ ହୋଇଛି । ଓଡ଼ିଶାବାସୀ ବିଜେପିକୁ 20ଟା ସାଂସଦ ଦେଇଛନ୍ତି ହେଲେ ବିଜେପି 3ଟା ମନ୍ତ୍ରୀପଦ ଦେଉଛି । ଓଡ଼ିଶା ପ୍ରତି ଏହା ଅପମାନ । ଆମେ ଦାବି କରୁଛୁ ଆଉ 3ଟା ମନ୍ତ୍ରୀ ମୋଦିଙ୍କ ସହ ସାମିଲ ହୁଅନ୍ତୁ ।" ସୂଚନା ଥାଉ କି ଓଡ଼ିଶାରେ ବିଜେପି 78ଟି ବିଧାୟକ ଜିତି ସରକାର ଗଢିବାକୁ ଯାଉଛି । ବିଜେପି ଓଡ଼ିଶାରେ ପୂର୍ଣ୍ଣ ଜନମତ ସହ ଏକାକୀ ସରକାର ଗଢିବାକୁ ଯାଉଛି । ଆସନ୍ତାକାଲି ବିଜେପିର ସରକାର ଗଠନ ହେବାକୁ ଯାଉଛି । ଜଣେ ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବା ନେଇ ବିଧାୟକ ଦଳ ବୈଠକ ମଧ୍ୟ ଜାରି ରହିଛି ।

2024 ନିର୍ବାଚନରେ ଓଡ଼ିଶାରୁ 20ଟି ସାଂସଦ ନିର୍ବାଚିତ ହୋଇ ଦିଲ୍ଲୀକୁ ଯାଇଛନ୍ତି । କଟକରୁ ଭର୍ତ୍ତୃହରି ମହତାବ, ବରଗଡ଼ରୁ ପ୍ରଦୀପ ପୁରୋହିତ, ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ବଲାଙ୍ଗୀରରୁ ସଂଗୀତା ସିଂହଦେଓ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚାରେ ରହି ଆସିଥିଲେ ସୁଦ୍ଧା ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କୁ ମୋଦିଙ୍କ କ୍ୟାବିନେଟରେ ସାମିଲ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details