ବୌଦ୍ଧ:ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇଉଠିଛି । ସେହିପରି ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଓ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ବିଧାୟକ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତି । ତେବେ ଜିଲ୍ଲାର ଭୋଟରମାନେ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ରହିବେ ବୋଲି କହିଛନ୍ତି ।
ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ତ୍ରିମୁଖୀ ଲଢେଇ ହେବାର ଆଶଙ୍କା ରହିଛି । ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଦଳ ମଧ୍ୟରେ ସିଧାସଳଖ ଲଢେଇ ହେବ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ ଗତ ଦୁଇ ଥର ନିର୍ବାଚିତ ହୋଇଥିବା ବିଧାୟକ ମହୀଧର ରଣାଙ୍କ ସହିତ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ କଡ୍ଡା ଟକ୍କର ଦେବେ । ଏଥିସହ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଇବାରେ ଲାଗିଛି ।