ଭୁବନେଶ୍ବର: ୯ ମାସର ବକେୟା ଦରମାକୁ ପ୍ରତିବାଦ । ଗାନ୍ଧୀମାର୍ଗରେ ଗର୍ଜିଲେ ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ଆଉ ଏମାନଙ୍କ ସହ ସାମିଲ ହେଲେ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ଗଣଧାରଣା। ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଲୋୟର ପିଏମଜିରେ ପହଞ୍ଚି ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସେପଟେ ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେଡି ।
୯ ମାସର ଦରମା ପ୍ରଦାନ ଦାବି:
୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ୯ ମାସର ଦରମା ପ୍ରଦାନ ଦାବି ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂଘ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିଥିବା ବେଳେ ୧୦ ଦଫା ଦାବି ନେଇ ହଜାର ହଜାର ମହିଳା ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି । ୯ ମାସ ଦରମା ପ୍ରଦାନ ଦାବି ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂଘ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିଥିବାବେଳେ ଏଥିରେ ସାମିଲ ରହିଛନ୍ତି MBK, ବ୍ୟାଙ୍କ୍ ମିତ୍ର, LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର । ୯ ମାସ ଧରି ସରକାରଙ୍କର ବିଭିନ୍ନ କାର୍ଯ୍ୟ କରୁଥିବାବେଳେ କାହିଁକି ପାରିଶ୍ରମିକ ମିଳୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ମହିଳା ।
'୯ ମାସର କଷ୍ଟ ଗର୍ଭ ଯନ୍ତ୍ରଣାରୁ ଅଧିକ'
ଆନ୍ଦୋଳନରତ ମହିଳା କହିଛନ୍ତି, "୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଖରା ବର୍ଷ ଶୀତ ସହି ନିଜ ଛୁଆକୁ ବଡ କଲା ପରି ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଆମେ କାମ କରୁଛୁ। ହେଲେ ୯ ମାସ ଧରି ରାଜ୍ୟ ସରକାର ଆମକୁ ତାର ପାରିଶ୍ରମିକ ହେଉନାହାନ୍ତି । ଏପରିକି ନୂଆ ସରକାର ସୁଭଦ୍ରା ଯୋଜନାକୁ ସଫଳ ରୂପାୟନରେ ବି ଆମର ସବୁଠୁ ଅଧିକଯୋଗ ଦାନ ରହିଛି । ଏହି ୯ ମାସର କଷ୍ଟ ବକେୟା ଥିବା ଦରମା ଗର୍ଭଯନ୍ତ୍ରଣାଠୁ ବି ବଳିଯାଇଛି । ୯ ମାସ କଷ୍ଟ ସହି ସିନା ଛୁଆ ହୋଇଯାଏ କିନ୍ତୁ ତାର ଲାଳନ ପାଳନ ପାଇଁ ଟଙ୍କା ଦରକାର ଦରମା ବିନା ଯେଉଁଠି ପେଟ ପୋଡିଯାଉଛି ତାହା ଯନ୍ତ୍ରଣା ସଦୃଶ ହୋଇଛି ।" ତେଣୁ ସେମାନେ ଦାବି ପୂରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅନୁରୋଧ କରିଛନ୍ତି ।
ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ:
ଅନ୍ୟପଟେ ବିଜୁ ଶ୍ରମିକ ସାମୁଖ୍ୟ ଏହାକୁ ସମର୍ଥନ ଜଣାଇବା ସହ ମହିଳାଙ୍କ ପରିଶ୍ରମିକକୁ ନେଇ ପ୍ରତିବାଦ ଜଣାଇଛନ୍ତି ଓ ତାଙ୍କ ଦାବି ବିଧାନସଭାରେ ଉପସ୍ଥାପନ ପାଇଁ ପ୍ରତିଶୃତି ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି, "ମହିଳା ମାନଙ୍କୁ ଉପେକ୍ଷିତ ନକରି ମହିଳା ସଶକ୍ତିକରଣର ଉଦାହରଣ ସାଜିଥିବା ମିଶନ ଶକ୍ତିକୁ ବନ୍ଦ ନ କରି ଦରମା ପ୍ରଦାନ କରନ୍ତୁ । ଆଉ ସେମାନଙ୍କୁ ତାଙ୍କ ଅଧିକାରର ସମ୍ମାନ ପ୍ରଦାନ କରନ୍ତୁ । ମହିଳାଙ୍କୁ ତାଙ୍କ ବକେୟା ଦରମା ନ ମିଳିବା ଯାଏଁ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ମହିଳାଙ୍କ ପାଇଁ ସ୍ୱର ଉଠାଇବ । ଏହାସହ ୧୫ ଜଣିଆ ବିଜେଡି ବିଧାୟକ ଦଳ ଲୋୟର PMG ଆସି ଧାରଣାରେ ବସିଥିବା ମହିଳାଙ୍କ ସହ ସାମିଲ ହେଇଛନ୍ତି ।
ଏହା ବି ପଢନ୍ତୁ...ଅନୁଗୋଳରେ ଜୟପୁର ଇଫେକ୍ଟ, ତାତିଲା ବ୍ୟବସାୟୀ ସଂଘ |