ଭୁବନେଶ୍ବର:ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓରମାସ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ । ସ୍ଥାନୀୟ ଗ୍ରାହକଙ୍କ ଚାହିଦାକୁ ଦେଖି ସାମଗ୍ରୀ ପ୍ରସ୍ତୁତ କରିବା ଜରୁରୀ । ଯାହା ଆଗାମୀ ଦିନରେ ସେମାନଙ୍କ ଉତ୍ପାଦର ଭଲ ମୂଲ୍ୟ ଦେଇପାରିବ । କେବଳ ଉତ୍ପାଦ ମାର୍କେଟିଂ ନୁହେଁ, ସାମଗ୍ରୀ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ମାଆମାନଙ୍କ ଦକ୍ଷତା ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ । ଏହାର ପରିଚାଳନା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିସି ଜରିଆରେ ଏହି କାର୍ଯ୍ୟକ୍ରମକୁ ଓରମାସର ନିର୍ଦ୍ଦେଶିକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର 25 ଜିଲ୍ଲାରେ 56 ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ଏହାର ପରିଚାଳନା ଆଦି ଦାୟିତ୍ୱରେ ଅଛନ୍ତି କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ ଏବଂ ଉତ୍ପାଦକ ଉଦ୍ୟୋଗର ସଦସ୍ୟା । ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ସେମାନଙ୍କୁ ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ ସହ ଏହାର ସଠିକ ପରିଚାଳନା ଏବଂ ସାମଗ୍ରୀ ପ୍ରସ୍ତୁତି ଆଦିରେ ସେମାନଙ୍କ ଦକ୍ଷତା ବିକାଶ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା ।