ଢେଙ୍କାନାଳ:ବ୍ରାହ୍ମଣୀ ନଦୀରେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା । ସରାଙ୍ଗ ବ୍ରିଜ ନିକଟରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ । ବହୁ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଆଜି ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି IGIT କଲେଜର ବିଟେକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସନତ କୁମାର ମାହାଳିକ । ଗତକାଲି (ଗୁରୁବାର) ଅପରାହ୍ନରେ ସେ ସାଙ୍ଗ ସହ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ।
ଗତକାଲିଠୁ ଛାତ୍ର ସନତ ମାହାଳିକ ନଦୀରେ ନିଖୋଜ ଥିଲେ । ଏନେଇ ତାଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ, କଲେଜ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଡାକି ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଖୋଜଖୋଜି କରିଥିଲେ । ହେଲେ ଛାତ୍ରଙ୍କ କୌଣସି ପତ୍ତା ମିଳିନଥିଲା । ଆଜି (ଶୁକ୍ରବାର) ସକାଳେ ତାଙ୍କର ମୃତଦେହ ସରାଙ୍ଗ ବ୍ରିଜ ନିକଟରେ ନଦୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l ଏହା ଦେଖି ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ:ଭୋଜି ହେଲା କାଳ, ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ