ସୁବର୍ଣ୍ଣପୁର: ଦିନକୁ ଦିନ ସୁବର୍ଣ୍ଣପୁର-ବିନିକା ରାଜ୍ୟ ରାଜପଥ ଓ ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଲୁଟ ଘଟଣା ବଢିବାରେ ଲାଗିଛି । ଜିଲ୍ଲାର ସଦର ମହକୁମାରୁ ପ୍ରାୟ 10 କିଲୋମିଟର ବଲାଙ୍ଗୀର ରାସ୍ତାରେ ଅର୍ଜୁନପୁର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଓ ବିନିକା ରାସ୍ତାର ଶରଧାପାଲି-ନନ୍ଦନମାଲ ଅଞ୍ଚଳର ରାସ୍ତାରେ ସନ୍ଧ୍ଯା ହେଉ ହେଉ ମୋଟର ସାଇକେଲ ଓ ଚାରିଚକିଆ ଯାନ ଅଟକାଇ ଦୁର୍ବୁତ୍ତମାନେ ଲୁଟ କରୁଥିବା ଘଟଣା ନଜରକୁ ଆସୁଛି । ଏହିପରି ଆଜି ସନ୍ଧ୍ୟାରେ ଜଣେ ଯୁବକ ସୁବର୍ଣ୍ଣପୁର-ବିନିକା ରାଜ୍ୟ ରାଜପଥର ଶରଧାପାଲି ଗାଁ ନିକଟେର ଲୁଟର ଶୀକାର ହୋଇଥିବା ନେଇ ସୁବର୍ଣ୍ଣପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପାଣ୍ଡିରିପଡା ଗାଁର ବିପୁଲ ଖଣ୍ଡଗିରୀ ନାମକ ଜଣେ ଯୁବକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ସମ୍ପର୍କୀୟ ବଡ ଭାଇ ଘରକୁ ମୋଟର ସାଇକେଲରେ ଯାଉଥିଲେ । ଏତିକି ବେଳେ ଶରଧାପାଲି ନିକଟବର୍ତ୍ତୀ ରାସ୍ତାରେ ତାଙ୍କଠାରୁ ଲୁଟ ହୋଇଛି । ବିପୁଲ ମୋଟର ସାଇକେଲରେ ଯାଉଥିବା ସମୟରେ ଏକ ଆପାଚି ମୋଟର ସାଇକେଲରେ 3ଜଣ ଦୁର୍ବୃତ୍ତ ଆସି ବିପୁଲଙ୍କୁ ଅଟକାଇଥିଲେ । ବିପୁଲଙ୍କୁ ଗଞ୍ଜେଇ କାରବାର କରୁଥିବା କହି ତାଙ୍କ ବ୍ୟାଗ ତଲାସୀ କରିଥିଲେ । ବିପୁଲଙ୍କ ବ୍ୟାଗ ଭିତରେ 85 ହଜାର ଟଙ୍କାର ଏକ କ୍ୟାମେରା ଓ କ୍ୟାମେରାର ଅନ୍ୟାନ୍ୟ ଉପକରଣ ଥିଲା । ତେବେ ଦୁର୍ବୃତ୍ତମାନେ ବ୍ୟାଗ ତଲାସୀ କରି ବ୍ୟାଗଟି ନେଇ ଫେରାର ହୋଇ ଯାଇଥିଲେ । ସେପଟେ ଏନେଇ ବିପୁଲ ସୁବର୍ଣ୍ଣପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସକୁ ଘଟଣାର ତଦନ୍ତ କରି ଲୁଟ ଜିନିଷ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।