ବ୍ରହ୍ମପୁର:ମୋଟର ସାଇକେଲ ଡିକିର ତାଲା ଖୋଲି ଦୁବୃର୍ତ୍ତ ନେଇ ଗଲେ ଲକ୍ଷାଧିକ ଟଙ୍କା । ଜଣେ ବ୍ୟକ୍ତି ନିଜର ଏକ ଜମିକୁ ବିକ୍ରି କରି ସେଥିରୁ ମିଳିଥିବା ଅର୍ଥକୁ ବ୍ୟାଙ୍କରୁ ଆଣି ମୋଟର ସାଇକେଲର ଡିକିରେ ରଖି ଚା' ପିଇବାକୁ ଯାଇଥିଲେ । ଏହି ସମୟରେ ଜଣେ ଦୁବୁର୍ତ୍ତ ଗାଡ଼ିର ଡିକି ଖୋଲି ଲୁଟି ନେଇଥିଲେ ୫ ଲକ୍ଷ ୬୦ହଜାର ଟଙ୍କା । ଏହିଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହରର ଜୟପ୍ରକାଶ ନଗର ଛକରେ ରହିଥିବା ଏକ ଘରୋଇ ବ୍ୟାଙ୍କ ସମୁଖରେ ।ଏହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଲୁଟ ସମୟର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଘଟଣାର ଖୋଳତାଡ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ନିକଟବର୍ତ୍ତୀ ସୁନାଦେଇ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା ନିଜର ଏକ ଜମିକୁ ବିକ୍ରି କରିଥିଲେ । ସେହି ଜମିକୁ କ୍ରୟ କରିଥିବା ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରେ ରହିଥିବା ଘରୋଇ ବ୍ୟାଙ୍କରୁ ୫ ଲକ୍ଷ ୬୦ ହଜାର ଟଙ୍କା ଉଠାଇ କୃଷ୍ଣଚନ୍ଦ୍ର ପ୍ରଦାନ କରିଥିଲେ । ଏହାପରେ କୃଷ୍ଣ ସେହି ଟଙ୍କାକୁ ନିଜକୁ ନିଜର ମୋଟର ସାଇକେଲର ଡିକିରେ ରଖି ତାଲା ପକାଇଥିଲେ । ଆଉ ସେହି ସମୟରେ ବ୍ୟାଙ୍କ ସମୁଖରେ ରହିଥିବା ଚା' ଦୋକାନକୁ ଯାଇଥିଲେ ।
ଏହି ସମୟରେ ପୂର୍ବରୁ ତାଙ୍କ ଉପରେ ନଜର ରଖିଥିବା ଦୁଇ ଜଣ ଯୁବକ ଏକ ମୋଟର ସାଇକଲେରେ ଆସିଥିଲେ । କୃଷ୍ଣଚନ୍ଦ୍ର ନିଜର ମୋଟର ସାଇକେଲ ସମୁଖରେ ହିଁ ଠିଆ ହୋଇ ରହିଥିଲେ ମଧ୍ୟ ସାମାନ୍ୟ କିଛି ମୁହର୍ତ୍ତ ପାଇଁ ପାଣି ପିଇବା ସମୟରେ ହଠାତ୍ ଜଣେ ଯୁବକ ଜଣଙ୍କ ତାଙ୍କ ମୋଟର ସାଇକଲେ ଡିକିକୁ କୌଶଳ କ୍ରମେ ଖୋଲି ,ସେଥିରେ ଥିବା ସମସ୍ତ ଟଙ୍କାକୁ ନେଇ ଚାଲି ଯାଇଥିଲେ । ପରେ ନିଜର ମୋଟର ସାଇକେଲର ଡିକି ଖୋଲା ରହିବା ସହ ଟଙ୍କା ନଥିବା ଦେଖିଥିଲେ କୃଷ୍ଣ ।