ରାଉରକେଲା:ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାଟ୍ରିକ ପରୀକ୍ଷା ଦେଇ ଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣକ ହେଲେ ସର୍ଗିପାଲି ଢେଲସରାର ଅରମାନ ରାଏ । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିିଯାଇଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ସେପଟେ ଏହାର ପ୍ରତିବାଦରେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଥିଲା ।
ସୂଚନା ଅନୁସାରେ, ଆଜି ଦିନ ୧୧ଟା ସମୟରେ ଅରମାନ ବାଇକରେ ମାର୍କେଟକୁ ଯାଇ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ(ଓଡି ୨୩ ଜି ୯୨୧୩) ତାଙ୍କୁ ଧକ୍କା ଦେଇଥିଲା ଏବଂ ସେ ଟ୍ରକ ତଳେ ପଡିଯାଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସୁନ୍ଦରଗଡ଼-ହେମଗିର ରାସ୍ତା ଚକ୍ରାମାଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନା ଥାଉ କି, ଅରମାନ ନିଆଲିପାଲି ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ଦେଉଥିଲେ । ସେ ଗତକାଲି ଗଣିତ ପରୀକ୍ଷା ଦେଇଥିଲେ ଏବଂ ଆଜି ସେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଘର ଲୋକେ ଭାବିଥିଲେ ପୁଅ ଦଶମ ପରୀକ୍ଷା ଦେଉଛି ଏବଂ ବର୍ତ୍ତମାନ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଭବିଷ୍ୟତ ଗଢିବ ଏବଂ ଭବିଷ୍ୟତରେ ଭଲ ମଣିଷ ହେବ । ହେଲେ ଭାଗ୍ୟର ବିଡ଼ମ୍ୱନା ମାଟ୍ରିକ ପରୀକ୍ଷା ଦେଇ ଆସୁଥିବା ବେଳେ ବାଟରେ ଜଗି ବସିଥିଲା ଯମ । ଟ୍ରକ ତଳେ ଚାପି ହୋଇ ଅରମାନଙ୍କ ଉଡିଗଲା ପ୍ରାଣବାୟୁ ।ଅରମାନଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ତାଙ୍କ ବାପା ଏବଂ ମାଆ ।