ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଦିଲ୍ଲୀ ନିର୍ଭୟାକାଣ୍ଡ ଭଳି ଘଟଣା ସାମନାକୁ ଆସିଛି । କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ଜଣେ ବିବାହିତ ମହିଳାଙ୍କୁ ମାଡ ମାରି ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ ଡାକ୍ତରୀ ମାଇନା କରିବା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ । ଏଥିରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୀଡିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟଙ୍କା ଧାର ନେଇଥିଲେ। ସେହି ଟଙ୍କା ସେ ମାଗିବାରୁ କୋଦଳା ଯାଇ ଟଙ୍କା ଆଣିବାକୁ ଆଶ୍ୱାସନା ଦେଇ ଏକ କାର ଭଡାରେ ନେଇ ମହିଳାଙ୍କୁ ସାଙ୍ଗରେ ନେଇଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି । ହେଲେ କବିସୂର୍ଯ୍ୟନଗର ଥାନାର ଖଇରପଲ୍ଲୀ ଜଙ୍ଗଲ ମଧ୍ୟକୁ ନେଇ ମାଡ ମାରିବା ସହ ଗୋଟିଏ ରାତି ମହିଳାଙ୍କୁ ଗଣଦୁର୍ଷ୍କମ କରାଯାଇଥିଲା ।
କବିସୂର୍ଯ୍ୟନଗର ପୋଲିସ ଖବର ପାଇ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ସେପଟେ ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଗୁହାରୀ କରିଛନ୍ତି । ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପୋଲିସ ଏହି ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଡାକ୍ତରୀ ମାଇନା କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଏସଡିପିଓ ରଜନୀକାନ୍ତ ସାମଲ । ସେପଟେ ପୀଡିତାଙ୍କ ସ୍ୱାସ୍ଥ ପରୀକ୍ଷା କରାଯାଇଥିବାବେଳେ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।