ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ SOG ଯବାନ-ମାଓବାଦୀ ମୁହାଁମୁହିଁ । କୁମ୍ବିଂ ଅପେରସନ ଚାଲିଥିବା ସମୟରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହେଲେ ଯବାନ । SOG ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ । ପ୍ରାୟ 15ରୁ 20 ମିନିଟ ଧରି ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ମାଓ କ୍ୟାମ୍ପ ଧ୍ବଂସ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ।
ଗତକାଲି ବିଳମ୍ବିତ ରାତିରେ କୁମ୍ବିଂ ଅପରେସନ ବେଳେ ଏହି ଗୁଳି ବିନିମୟ ଘଟିଥିଲା । ଏହାପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଛାତ୍ରଭଙ୍ଗ ଦେଇଥିଲେ । ଗୁଳି ବିନିମୟ ବନ୍ଦ ହେବା ପରେ କୁମ୍ବିଂ ଟିମ୍ ସେହି ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ । ସର୍ଚ୍ଚ ଅପେରସନ ବେଳେ ସେଠାରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ମାଓ କ୍ୟାମ୍ପରୁ 7ଟି ଉନ୍ନତ ମାନର ଗ୍ରେନେଡ, 3ଟି ଜିଲୋଟିନ, ବିଦ୍ୟୁତ ତାର, ଉନ୍ନତ ଧରଣର ବ୍ଲାଷ୍ଟିଂ ମେସିନ, ସୋଲାର ପ୍ୟାନେଲ ସହିତ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ସେଠାରେ ବଂଶଧାରା-ଘୁମସର-ନାଗାବଳି (ବିଜିଏନ୍) ମାଓବାଦୀ ସଂଗଠନର କ୍ୟାମ୍ପ ଚାଲିଥିଲା ଏବଂ ସେଠାରେ ପ୍ରାୟ 15 ଜଣ ହାର୍ଡକୋର ମାଓବାଦୀ ଥିଲେ ବୋଲି କନ୍ଧମାଳ SP ଶୁଭେନ୍ଦୁ କୁମାର ପାତ୍ର ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।