ଭୁବନେଶ୍ବର:ଏକାଦଶ, ଦ୍ବାଦଶ ପଢିବାକୁ ଆଉ ଦୂର ସ୍ଥାନକୁ ଯିବେନି ପିଲା । ନିଜ ଅଞ୍ଚଳରେ ଥିବା ସ୍କୁଲରେ ଯୁକ୍ତ ଦୁଇ ପାଠ ପଢିପାରିବେ । କାରଣ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ମାଧ୍ୟମିକ ବିଦ୍ୟାଳୟ ବା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ(ଅପଗ୍ରେଡ) କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଶମ ପରେ ଅନେକ ପିଲା ଅଧାରୁ ପାଠ ଛାଡୁଥିବାରୁ ଏହାକୁ ଦୃଷ୍ଟି ରଖି ରାଜ୍ୟର ଅନେକ ଗୁଡିଏ ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ ବା ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଆଗକୁ ଆହୁରି ବିଦ୍ୟାଳୟ ହେବ ଅପଗ୍ରେଡ:
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ''ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଗତ ଦିନରେ କିଛି ସ୍କୁଲ ଅପଗ୍ରେଡ଼ କରିଛି । ଅର୍ଥାତ ସ୍କୁଲ ପରିସରରେ ଯୁକ୍ତ ଦୁଇ ଖୋଲାଯାଇଛି । ପରିସ୍ଥିତି ଦେଖି ଆଗାମୀ ଦିନରେ ଆହୁରି ସ୍କୁଲ ଅପଗ୍ରେଡ କରିବୁ । ପୂର୍ବରୁ ୯୨ଟି ସ୍କୁଲ ଅପଗ୍ରେଡ଼ ହୋଇସାରିଛି । ଆଉ ୧୦ ସ୍କୁଲ ପର୍ଯ୍ୟାୟକ୍ରମେ କରାଯିବ । ଜିଓମ୍ୟାପିଙ୍ଗ ଅନୁସାରେ ଯେଉଁଠି ସ୍କୁଲ ନାହିଁ, ସେଠାରେ ଅପଗ୍ରେଡ଼ ହେବ ।''
୭୯ ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ:
ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନଥିବାରୁ ପିଲାଙ୍କୁ ପାଠପଢ଼ା ପାଇଁ ଦୂରକୁ ଯିବାକୁ ପଡୁଥିଲା । ଦୂର ବାଟ ପାଇଁ ଅନେକ ପିଲା ମାଟ୍ରିକ ପରେ ପାଠ ଛାଡ଼ି ଦେଉଥିଲେ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୭୯ ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ (ଅପଗ୍ରେଡ) କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: 'ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ' - Tribal Students Education