ଗଜପତି: କଥାରେ ଅଛି ଦଇବ ଯଦି ଦାଉ ସାଧେ ତେବେ ଦୋଷ ଦେବା କାହାକୁ । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପରିବାର । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ କାମିଲିଗୁଡା ଗାଁର ମଙ୍ଗୁଳୁ ମଳିକଙ୍କ କଥା । ଦୀର୍ଘ ଚାରି ବର୍ଷ ହେବ କ୍ୟାନ୍ସର୍ ରୋଗରେ ଆକ୍ରାନ୍ତ ହୋଇ ପଡ଼ିରହିଛନ୍ତି । ଦୀର୍ଘ ଚାରି ବର୍ଷ ଧରି ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ତାଙ୍କ ସ୍ତ୍ରୀ କୁଲି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଯଦି କିଛି ସରକାରୀ ସହାୟତା ମିଳି ପାରନ୍ତା ସେ ନିଜ ଚିକିତ୍ସା କରାଇ ପାରନ୍ତେ ବୋଲି କହିଛନ୍ତି ।
ମଙ୍ଗୁଳୁ ମଳିକ ଗରୀବ ହେଲେ ମଧ୍ୟ ଚାଷବାସ କରି ନିଜ ସ୍ତ୍ରୀ ଓ ଦୁଇଟି ପୁଅକୁ ନେଇ ବେଶ ଖୁସିରେ ପରିବାର ପ୍ରତିପୋଷଣ କରୁଥିଲା । ହେଲେ ହଠାତ୍ ମଙ୍ଗୁଳୁଙ୍କ ଡାହାଣ ଜଙ୍ଘରେ ଗୋଟିଏ ଘା’ ବାହାରିଥିଲା । ସେହି ଘା’ଟି ବଡ଼ ହେବାରେ ଲାଗିଥିଲା । ମଙ୍ଗୁଳୁ ପ୍ରଥମେ ମୋହନା ମେଡ଼ିକାଲ ଯାଇଥିଲା । ଡାକ୍ତର ମଙ୍ଗୁଳୁର ଏପରି ଅବସ୍ଥା ଦେଖି ବ୍ରହ୍ମପୁର ବଡ଼ମେଡିକାଲକୁ ଅଧିକା ଚିକିତ୍ସା ପାଇଁ ପଠାଇଥିଲେ । ବ୍ରହ୍ମପୁର ବଡ ମେଡିକାଲରେ ରୋଗର ପରୀକ୍ଷା ପରେ ଜାଣିବାକୁ ପାଇଥିଲା ସେ କ୍ୟାନ୍ସରରେ ପୀଡ଼ିତ । ସ୍ତ୍ରୀ ଲଳିତା ଧାର କରଜ କରି କଟକ ବଡ଼ ମେଡ଼ିକାଲକୁ ନେଇଥିଲେ ।
କଟକରେ କିଛିଦିନ ଚିକିତ୍ସା ହେବା ପରେ ଡାକ୍ତର ମଙ୍ଗୁଳୁଙ୍କର ଗୋଡ଼କୁ କାଟି ଦେବାପାଇଁ କହିଥିଲେ l ଯାହା ଫଳରେ ଭୟରେ ମଙ୍ଗୁଳୁ ଓ ତାଙ୍କ ପରିବାର ନିଜ ଘରକୁ ଫେରିଆସିଲେ l ଦୁଇ ମାସ ପରେ ପୁଣି ଋଣ କରି ସରକାର ଦେଇଥିବା ସ୍ୱାସ୍ଥ୍ୟ କାର୍ଡକୁ ନେଇ ଯାଇଥିଲେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ l ସେଠାରେ ମଧ୍ୟ କିଛି ଦିନର ଚିକିତ୍ସା ପରେ ଟଙ୍କା ଅଭାବ ପାଇଁ ଘରକୁ ଚାଲି ଆସିଲେ। ଏବେ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍ତି । ପୂର୍ବରୁ ଯାହା ସଞ୍ଚିତ ଅର୍ଥ ଥିଲା ତାହା ମଙ୍ଗୁଳୁଙ୍କ ଚିକିତ୍ସାରେ ବ୍ୟବହାର ହୋଇଯାଇଛି । ଏବେ ମଙ୍ଗୁଳୁଙ୍କ ସ୍ତ୍ରୀ କୁଲି ମଜୁରୀ କରି ଯାହା ଦି ପଇସା ରୋଜଗାର କରୁଛନ୍ତି ସେଥିରେ ଘର ଚଳାଇବା ମୁସ୍କିଲ ହୋଇ ପଡ଼ିଛି ।