ଭୁବନେଶ୍ବର:ସ୍ତ୍ରୀର ଜୀବନ ନେଲା ସ୍ବାମୀ । ସ୍ତ୍ରୀକୁ ଇଞ୍ଜେକ୍ସନ ଦେଇ ମାରିଦେଲା ଫାର୍ମାସିଷ୍ଟ ସ୍ବାମୀ ଏବଂ ଦୁଇ ଜଣ ନର୍ସ ।ଏ ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । ଦେହ ଖରାପ ହୋଇଥିବାରୁ ଭଲ କରାଇ ଦେବାକୁ କହି ସ୍ବାମୀ ଦେଇଥିଲା ଆନାସ୍ଥେସିଆ ଇଞ୍ଜେକ୍ସନ ।
ସୀମା ଟପିଲା ନିଷ୍ଠୁର ସ୍ବାମୀ କାଣ୍ଡ :
ଏହି ଦମ୍ପତି ଭୁବନେଶ୍ୱରରେ ରହୁଥିଲେ । ଭଲ କରିବା ବାହାନାରେ ଜୀବନ ନେଇ ଆରପାରିକୁ ପଠାଇ ଦେଇଛି ନିଷ୍ଠୁର ସ୍ବାମୀ । ଏଭଳି ଷଡ଼ଯନ୍ତ୍ର କରି ଗିରଫ ହୋଇଛନ୍ତି ଜଣେ ଫାର୍ମାସିଷ୍ଟ । ଅଭିଯୁକ୍ତକୁ ସହଯୋଗ କରିଥିବା ଦୁଇ ନର୍ସଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ନାୟକ । ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ମୃତ ମହିଳାଙ୍କ ସ୍ବାମୀ ତଥା ଫାର୍ମାସିଷ୍ଟ ପ୍ରଦ୍ୟୁମ୍ନ କୁମାର ଦାସ । ତାଙ୍କ ଘର ମାର୍ଶାଘାଇ କେନ୍ଦ୍ରାପଡ଼ା । ଦୁଇ ଯୁବତୀ ବାଲେଶ୍ୱର ଏବଂ ଗଜପତିର ହୋଇଥିବା ଜଣାପଡ଼ିଛି । ତିନି ଜଣ ମିଶି ଶୁଭଶ୍ରୀ ନାୟକ ନାମକ ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ । ପୋଲିସ ତିନି ଜଣଙ୍କୁ ଗିରଫ ସହ ଘଟଣାର ସାଇଣ୍ଟିଫିକ ତଦନ୍ତ ଜାରି ରଖିଛି ।
ଏମିତି କହିଲେ ଡିସିପି:
ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,"ଗତ 28 ତାରିଖରେ ଯେଉଁ ଘଟଣା ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ଏହା କୋୖଣସି ଅପମୃତ୍ୟୁ ଜନିତ ଘଟଣା ନଥିଲା କାରଣ ଏଥିରେ କିଛି ସନ୍ଦେହ ସୃଷ୍ଟି ହୋଇଥିଲା । ସେନେଇ ଆମେ ତଦନ୍ତ ଆରମ୍ଭ କରିଥିଲୁ । ଯାହାର ଆଧାରରେ ଆମ ପାଖରେ ବଳିଷ୍ଠ ପ୍ରମାଣ ମିଳିଥିଲା । ଯାହାକୁ ଆଧାରକରି ଆମେ 3 ଜଣଙ୍କୁ ଗିରଫ କରିଛୁ । ମୃତ ମହିଳାଙ୍କର ସ୍ବାମୀ ସହ ତାଙ୍କର ସମ୍ପର୍କରେ ଥିବା ଦୁଇ ଜଣ ଯୁବତୀକୁ ମଧ୍ୟ ଗିରଫ କରାଯାଇଛି । ଆମେ ରିମାଣ୍ଡରେ ଆଣିବୁ । କ'ଣ ଘଟଣା ଘଟିଛି । କିପରି ସେମାନେ ଆନାସ୍ଥାସେସିଆ ଭଳି ଇଞ୍ଜେକ୍ସନ ଆଣିଲେ । ଏଥିପାଇଁ କ'ଣ କ'ଣ କରିଥିଲେ ସେନେଇ ରିମାଣ୍ଡରେ ଆଣି ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା କରିବୁ।"
ସ୍ତ୍ରୀକୁ ମାରିବା ପାଇଁ ଦେଇଥିଲା ଇଞ୍ଜେକ୍ସନ:
ତେବେ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ 28 ତାରିଖରେ ଭରତପୁର ଥାନା ଅଞ୍ଚଳରୁ ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଲେଡିଜ ହଷ୍ଟେଲରୁ ଅଚେତ୍ ଅବସ୍ଥାରେ ହସ୍ପିଟାଲ ଆସିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମହିଳାଙ୍କ ସହ ଥିବା ତାଙ୍କ ସ୍ବାମୀ ତାଙ୍କର ଦେହ ଖରାପ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ମହିଳାଙ୍କର ଭାଇ ଆସି ଦେଖିବା ପରେ ତାଙ୍କ ଭଉଣୀର ହାତରେ ତିନୋଟି ଇଞ୍ଜେକ୍ସନ ଦିଆଯାଇଥିବା ସନ୍ଦେହ କରିଥିଲେ । ଏନେଇ ଭରତପୁର ଥାନାକୁ ଜଣାଇଥିଲେ ଯେ ଏହା ପଛରେ ସନ୍ଦେହ ହୋଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।