ରାଇରଙ୍ଗପୁର:ହାତୀ ନେଲା ଜୀବନ । କିଛି ଦିନର ବ୍ୟବଧାନ ପରେ ପୁଣି ମୟୂରଭଞ୍ଜରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ମଧୁସୂଦନ ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ସେପଟେ ଖାଲରେ ପଡିଲା ହାତୀ ।
ହାତୀ ନେଲା ଜୀବନ
ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ ୪୦ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଆଜି (ଶନିବାର) ସକାଳୁ ଶ୍ୟାମାଖୁଣ୍ଟା ଅଞ୍ଚଳର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ବୁଲୁଛନ୍ତି 40 ଟିକିଆ ହାତୀପଲ
ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବନବିଭାଗ ଅପାରଗତାରୁ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ବାରିପଦା ପିଆରଏମ ପଠାଯାଇଛି । ସେପଟେ 40 ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସତର୍କ କରାଯାଇଛି ।
ସେହିପରି ଗତ ବୁଧବାର ଦିନ ୨୬ ଟିକିଆ ହାତୀପଲ ବଡ଼ସାହି ନିକଟସ୍ଥ ରଙ୍ଗାଡିହା ଓ ଗୁଆବେହେରା ଜଙ୍ଗଲରେ ରହିଥିବା ବେଳେ ଗୁରୁବାର ଦିନ ସକାଳ ସମୟରେ ଏକ ଦନ୍ତାହାତୀ ବଡ଼ସାହି ନିକଟସ୍ଥ ଏକ ଗାଁକୁ ପଶିଆସି ନବଘନ ସିଂଙ୍କ ପୁଅ ଦିଲ୍ଲୀପ ସିଂ (୩୫)କୁ ଆକ୍ରମଣ କରିଥିଲା । ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ହାତୀ ଆକ୍ରମଣରେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଥିଲେ ।
ଏନେଇ ସ୍ଥାନୀୟ ବାସିନ୍ଦା ଗୋପୀନାଥ ସିଂ କହିଛନ୍ତି, "ରାତିରୁ 30ଟି ହାତୀ ଗାଁରେ ଭିତରେ ପଶି ଉପଦ୍ରବ କରୁଛନ୍ତି । ଚାଷ ଜମି ନଷ୍ଟ କରି ଦେଇଛନ୍ତି । ଘର ଭିତରେ ପଶି ଧାନ ଖାଇ ଦେଉଛନ୍ତି । ପ୍ରଶାସନ ସେମାନଙ୍କୁ ଧରିବାରେ ବିଫଳ ।"