ବୌଦ୍ଧ: ଘରକାମ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ରଖିଥିଲେ । ହେଲେ ଘର ତୋଳିବା ଆଗରୁ ଚାଲିଗଲା ଜୀବନ ।ବିଳମ୍ବିତ ରାତିରେ ଘରେ ପଶି ଲୁଟପାତ ଚଳାଇଥିଲେ ଡକାୟତ ଗ୍ୟାଙ୍ଗ । ଘର ମାଲିକ ହଠାତ୍ ଏସବୁ ଦେଖିନେବାରୁ ଦୁର୍ବୃତ୍ତମାନେ ଛୁରାରେ ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଘର ମାଲିକଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତରିତ ସମୟରେ ବାଟରେ ତାଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।
ସୂଚନା ଅନୁସାରେ, ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଡ଼ ଘର କାମ ପାଇଁ ବାଉଁଶୁଣୀ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ବାଳକୃଷ୍ଣଙ୍କ ଘରେ 4ରୁ 5 ଜଣ ଦୁର୍ବୃତ୍ତ ପଶି ଲୁଟପାତ ଚଳାଇଥିଲେ । ତେବେ ଡକାୟତମାନେ ଲୁଟପାଟ କରୁଥିବା ବେଳେ ହଠାତ୍ ବାଳକୃଷ୍ଣ ଶବ୍ଦ ଶୁଣି ଉଠିପଡିଥିଲେ । ଡକାୟତମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡକାୟତ ଗ୍ୟାଙ୍ଗ ଛୁରା ସାହାଯ୍ୟରେ ବାଳକୃଷ୍ଣଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ ।
ସେପଟେ ଆଜି (ଶନିବାର) ସକାଳୁ ବାଳକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବାଉଁଶୁଣୀ ଓ ପରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଳକୃଷ୍ଣଙ୍କୁ ବୁର୍ଲା ସ୍ଥାନାନ୍ତରିତ ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବାଉଁଶୁଣୀ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବାଉଁଶୁଣୀ ପୋଲିସର ଅପାରଗତା ତଥା ଖାମଖିଆଲ ନିତି ଯୋଗୁଁ ଏଭଳି ଏକ ଅଘଟଣ ଘଟିବା ସହିତ ଜଣେ ନିରୀହ ଜୀବନ ଅକାଳରେ ଚାଲିଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।