ବଲାଙ୍ଗୀର:ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ନିଜ ପୁଅକୁ ଟ୍ରେନ ଲାଇନରେ ବାନ୍ଧି ହତ୍ୟା ଉଦ୍ୟମ କଲା ବାପା । ଠିକ୍ ସମୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରିବା ସହ ବାପାକୁ ଗିରଫ କରିଛି । ଗତ(ଶନିବାର) ରାତିରେ ବଲାଙ୍ଗୀର ଜିଲ୍ଲା କଂଶାରୀପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ପାରିବାରିକ କହଳହରୁ ପୁଅକୁ ହତ୍ୟା ଉଦ୍ୟମ:
ଚିନ୍ମୟ ଦାସ ନାମକ ଜଣେ ବ୍ୟକ୍ତି ନିଜ କୁନି ପୁଅକୁ ମାରିବା ପାଇଁ କରିଥିଲା ଉଦ୍ୟମ । ପୋଲିସର ସଠିକ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ନାବାଳକ ପୁଅର ଜୀବନ। କେବଳ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ବାପା ଏହି ନାଟକୀୟ କାଣ୍ଡ ଭିଆଇଥିଲା । ଯେଉଁଥିରେ ନିଜ ଆଠ ବର୍ଷର ପୁଅକୁ ଟ୍ରେନ ଲାଇନରେ ବାନ୍ଧି ହତ୍ୟା କରିବାର ଯୋଜନା କରିଥିଲା । ଏପରିକି ସେଠାରୁ ଏକ ଫଟୋ ତାର ସ୍ତ୍ରୀଙ୍କୁ ପଠାଇଥିଲା । ତେବେ ସ୍ତ୍ରୀ ଏଥିରେ ଭୟଭୀତ ହୋଇ ବଲାଙ୍ଗୀର ପୋଲିସକୁ ଖବର ଦେଇଥିଲେ । ପୋଲିସ ତତ୍ପରତା ଦେଖାଇ ବଲାଙ୍ଗୀର କଂଶାରୀପଡ଼ା ରେଳ ଧାରଣା ନିକଟକୁ ଯାଇ ପୁଅକୁ ଉଦ୍ଧାର କରିଥିଲା । ତେବେ ପୁଅଟି ଭୟଭୀତ ଥିବାବେଳେ ପୋଲିସ ଡାକ୍ତରୀ ମାଇନା ପରେ ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଛି ।