ବାଲେଶ୍ବର:ଭଡା ଘରେ ଚିଲିଛି ବିଜେପି କାର୍ଯ୍ୟାଳୟ । କିନ୍ତୁ ବିଜେପି ପକ୍ଷରୁ ଘର ଭଡ଼ା ବକେୟା ରହିଥିବା ଅଭିଯୋଗ । ଘର ଛାଡିବାକୁ ସଦର ବିଜେପି ନେତାଙ୍କୁ ବାରମ୍ବାର କୁହାଯାଉଥିବା ବେଳେ ସେ ଘର ଛାଡ଼ିବା ପରିବର୍ତ୍ତେ ଆକ୍ରମଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାଲେଶ୍ଵର ନୁରୂପୁର ଅଞ୍ଚଳର ସନ୍ତୋଷ କୁମାର ଦେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ କୁମାର କହିଛନ୍ତି, ''ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟ ହୋଇଥିବା ଘର ମୋର । ଏହି ଘର ଭଡ଼ାରେ ଦିଆଯାଇଥିବା ବେଳେ ଦୀର୍ଘଦିନ ଧରି ଭଡ଼ା ବାକି ରହିଛି ଏବଂ ଘର ଛାଡିବାକୁ ସଦର ବିଜେପି ନେତାଙ୍କୁ ବାରମ୍ବାର କୁହାଯାଉଥିବା ବେଳେ ସେ ଘର ଛାଡ଼ିବେ କଣ ଓଲଟି ଆକ୍ରମଣ କରୁଛନ୍ତି । ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଏ ବାବଦରେ ବିଜେପିର ରାଜ୍ୟସ୍ତରୀୟ ବରିଷ୍ଠ ନେତା ମାନେ ସମ୍ପୃକ୍ତ ରହି ଆମକୁ ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ଦାବି କରୁଛି ।''
ସୂଚନା ଅନୁସାରେ, ଭଡାଘରେ ପରିଚାଳିତ ହେଉଥିବା ସଦର ବିଜେପି କାର୍ଯ୍ୟାଳୟକୁ ଯୁବନେତା ମାନସ କୁମାର ଦତ୍ତ ଖାଲି କରୁନଥିବା ନେଇ ଅଭିଯୋଗ ଆଣିଛନ୍ତି ସନ୍ତୋଷ କୁମାର । ଘରମାଲିକ ସନ୍ତୋଷ କୁମାର ଦେ ବାଲେଶ୍ୱର ପୌରାଞ୍ଚଳର ନୁରପୁର ରୋଡରସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ବାଗବୃନ୍ଦାବନ ମୌଜାର ପ୍ଲଟ ନଂ ୨୦୬/୧୭୬୧ ଓ ଖତିଆନ ନଂ ୮/୧୦ରେ ଥିବା ଅନ୍ୟ ଏକ ଘରକୁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କୁ ବହୁ ବର୍ଷ ତଳେ ଭଡା ସୁତ୍ରରେ ଦେଇଥିଲେ । ୨୦୧୯ ନିର୍ବାଚନ ପରେ ମଦନ ମୋହନ ଦତ୍ତ ଘରଟିକୁ ଖାଲି କରିଦେବା ନେଇ ପ୍ରତିଶୃତି ଦେଇଥିଲେ । ମାତ୍ର ଅସୁସ୍ଥ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା।
ଘର ଛାଡିବା କଥା ସ୍ୱର୍ଗତଃ ଦତ୍ତଙ୍କ ପୁଅ ମାନସଙ୍କୁ ଜଣାଇବାରୁ ଉପନିର୍ବାଚନ ଶେଷ ପର୍ଯ୍ୟନ୍ତ ଘରଟିକୁ ଭଡା ଆକାରରେ ବ୍ୟବହାର ପାଇଁ ଅନୁରୋଧ କରିଥିଲେ । ଏଥିପାଇଁ ଏକ ସ୍ୱଳ୍ପ କାଳୀନ ଚୁକ୍ତିନାମା ହୋଇଥିଲା । ଯାହାର ଅବଧି ୨୦୨୧ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଯାଇଛି । ତେବେ ଚୁକ୍ତି ଅବଧି ଶେଷ ହୋଇଥିଲେ ଆଜି କାଲି କହି ମାନସ ଘର ଛାଡିବା କଥା ଏଡାଇ ଦେଉଛନ୍ତି ବୋଲି ସନ୍ତୋଷ କୁମାର ଦେ କହିଛନ୍ତି। ଇତି ମଧ୍ୟରେ ଘରର ବିଦ୍ୟୁତ ଦେୟ ୮୮,୨୮୨ ଟଙ୍କା ବକେୟା ରହିଥିବା ସେ ଅଭିଯୋଗ କରିଛନ୍ତି ।