ବୌଦ୍ଧ: ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ସହିତ ଡାଇରିଆ ରୋଗ କାୟା ବିସ୍ତାର ଆରମ୍ଭ କରୁଛି । ସମୟ ପୂର୍ବରୁ ଏହାର ପ୍ରତିକାର କରାନଗଲେ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ଅଞ୍ଚଳରେ ଦୂଷିତ ପାନୀୟଜଳ ବ୍ୟବହାର ସହିତ ଔଷଧ ସିଞ୍ଚନ ମଶାରୀର ବ୍ୟବହାର ନଥିବାରୁ ଏନେଇ ଚିନ୍ତା ପ୍ରକାଶ ପାଇଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ବା ଔଷଧ ସିଞ୍ଚନ ମଶାରୀର ଏକାନ୍ତ ଜରୁରୀ ଥିବାବେଳେ ବର୍ତ୍ତମାନ ମଶାରୀ ଓ ଗାମ୍ବୁସିଆ ମାଛର ଅଭାବରୁ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ରହିଛି । ତେବେ ସରକାରୀସ୍ତରରେ ପୂର୍ବରୁ ମଶାରୀ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିବାବେଳେ ବର୍ତ୍ତମାନ ମଶାରୀ ଯୋଗାଣ ହେଉନଥିବା ସୂଚନା ମିଳିଛି ।
ବର୍ଷା ଋତୁ ଆରମ୍ଭରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମ୍ୟାଲେରିଆ ସହିତ ଡାଇରିଆ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବିଗତ କିଛି ବର୍ଷ ହେଲା ମ୍ୟାଲେରିଆ ଭଳି ମହାମାରୀ ନିୟନ୍ତ୍ରଣାଧୀନ ରହିଥିବାବେଳେ ଚଳିତ ବର୍ଷ ବର୍ଷା ଋତୁରେ ପୁଣିଥରେ ମ୍ୟାଲେରିଆ ତାର କାୟା ବିସ୍ତାର କରିବାରେ ଲାଗିଛି । ବିଗତ ବର୍ଷରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏନେଇ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପ୍ରତ୍ୟେକ ପରିବାରଙ୍କୁ ଔଷଧ ସିଞ୍ଚନ ମଶାରୀ ଯୋଗାଣ କରାଯାଇଥିଲା । ଆଉ ଏଭଳି ପଦକ୍ଷେପ ପରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗକୁ ସଫଳତା ମଧ୍ୟ ମିଳିଥିଲା । ବିଗତ କିଛି ବର୍ଷ ହେଲା ଆଉ ମ୍ୟାଲେରିଆର ପ୍ରଭାବ ଦେଖିବାକୁ ମିଳିନଥିଲା । ତେବେ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରୁ ପୁଣିଥରେ ମ୍ୟାଲେରିଆ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ଏନେଇ ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିବା ସହିତ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।