ଭୁବନେଶ୍ବର:ଆଜି ପବିତ୍ର ମକର ସଂକ୍ରାନ୍ତି । ଏହା ଏକ ସର୍ବ ଭାରତୀୟ ପର୍ବ ହୋଇଥିବା ବେଳେ ଉତ୍ସବମୁଖର ହୋଇ ଉଠିଛି ଦିଲ୍ଲୀରୁ ପଲ୍ଲୀ । ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବରେ ବିହୁ ଭାବେ ପାଳନ କରିଥାନ୍ତି ଦେଶବାସୀ । ପର୍ବ ଗୋଟିଏ କିନ୍ତୁ ବିଭିନ୍ନ ରାଜ୍ୟରେ ନାମ ଅନେକ । ଦକ୍ଷିଣ ଭାରତର ସବୁଠାରୁ ବଡ ପର୍ବ ହେଉଛି ପୋଙ୍ଗଲ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ 4 ଦିନ ଧିର ପାଳନ କରିଥାନ୍ତି । ଓଡ଼ିଶାରେ ମଧ୍ୟ ଆଜିର ଦିନରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଚାଉଳରୁ ଭୋଗ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଯାହାକୁ ମକର ଚାଉଳ କୁହାଯାଏ । ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଓଡ଼ିଶାରେ ମକର ସଂକ୍ରାନ୍ତି:
ଓଡିଶାରେ ମକର ସଂକ୍ରାନ୍ତି ଦିନ ବ୍ରତ ରଖାଯାଇଥାଏ । ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ଏକ ଭୋଗ ପ୍ରସ୍ତୁତ କରାଯାଏ । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ-ମାଞ୍ଜା ସୂତାରେ ଗୁଡି ଉଡାଇଲେ ବାନ୍ଧିବ ପୋଲିସ, ୧୦ ବର୍ଷରେ ଯାଇଛି ୪ ଜୀବନ - NO TO MANJA THREAD