ଓଡିଶା

odisha

ETV Bharat / state

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ହେଲେ ମହେଶ କୁମାର ବେହେରା - East Coast Railway - EAST COAST RAILWAY

East Coast Railway: ମହେଶ କୁମାର ବେହେରା ହେଲେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ । ପୂର୍ବରୁ ଭାରତୀୟ ରେଳବାଇରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ଅଧିକ ପଢ଼ନ୍ତୁ

ମହେଶ କୁମାର ବେହେରା
ମହେଶ କୁମାର ବେହେରା

By ETV Bharat Odisha Team

Published : Apr 2, 2024, 6:59 AM IST

ଭୁବନେଶ୍ବର: ଭାରତୀୟ ରେଳର ପ୍ରମୁଖ ଜୋନ୍‌ ତଥା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ହେଲେ ମହେଶ କୁମାର ବେହେରା । ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ)ର ଅଧିକାରୀ ମହାପ୍ରବନ୍ଧକ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ମହେଶ କୁମାର ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁର ଠାରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ସାମୁଦ୍ରିକ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି । ଭାରତୀୟ ରେଳବାଇରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରି ତିନି ଦଶନ୍ଧି ଧରି ବିସ୍ତୃତ ଓ ସମୃଦ୍ଧ ଅଭିଜ୍ଞତା ହାସଲ କରିଛନ୍ତି ।

ରେଳାବାଇରେ ତାଙ୍କର ସେବା ମଧ୍ୟରେ ପୂର୍ବତଟ ରେଳପଥରେ ଚିଫ୍ ବ୍ରିଜ୍ ଇଞ୍ଜିନିୟର ଏବଂ ଚିଫ୍ ଇଞ୍ଜିନିୟର ଭଳି ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ । ଉଲ୍ଲେଖନୀୟ ଭାବରେ ସେ ରାଇଟ୍ସ, ଭୁବନେଶ୍ୱରରେ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଏବଂ ପାଟନା ଓ ମୁଙ୍ଗେରରେ ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଛନ୍ତି । ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡିକ ମଧ୍ୟରେ ମହେଶ କୁମାର ବେହେରା ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ), ପୂର୍ବତଟ ରେଳପଥର ଉପମୁଖ୍ୟ ସତର୍କତା ଅଧିକାରୀ ଏବଂ ପୂର୍ବ ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର(ନିର୍ମାଣ) ଇତ୍ୟାଦିରେ କାର୍ଯ୍ୟରତ ଥିଲେ ।


ଏହା ମଧ୍ୟ ପଢ଼ନ୍ତୁ...ନୂଆ ଡିଜାଇନରେ ରେଳ ଷ୍ଟେସନ, ଓଡ଼ିଶାର ଆଉ 21ଟି ଷ୍ଟେସନ ହେବ ରୂପାନ୍ତର

ସୂଚନା ଅନୁଯାୟୀ, ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । 1 ଏପ୍ରିଲ 2023ରୁ 25 ମାର୍ଚ୍ଚ 2024 ମଧ୍ୟରେ ପୂର୍ବତଟ ରେଳପଥ 250 ନିୟୁତ ଟନ ପଣ୍ୟ ପରିବହନ କରି 2022-23 ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ ଅତିକ୍ରମ କରିଛି । କ୍ରମାଗତ 5 ଥର ପାଇଁ 200 ମିଲିୟନ ଟନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ମଧ୍ୟ ପ୍ରଥମ ଜୋନ୍ ହୋଇପାରିଛି । ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ଉତ୍ତମ ପ୍ରଦର୍ଶନ ପାଇଁ ଏହି ଲକ୍ଷ୍ୟ ହାସଲ ହୋଇପାରିଛି । 2019-20 ଆର୍ଥିକ ବର୍ଷରେ 200 ନିୟୁତ ଟନ ପଣ୍ୟ ପରିବହନ କରିବା ପାଇଁ ପୂର୍ବତଟ ରେଳବାଇର ଅବିଭକ୍ତ ଦକ୍ଷିଣ-ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ରହିଥିଲା । ବର୍ତ୍ତମାନ ଏହା 250 ନିୟୁତ ଟନ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ ହୋଇପାରିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details