ଭୁବନେଶ୍ବର: କୃଷି ପ୍ରାଧାନ୍ୟ ଓଡ଼ିଶାର ଜୀବନରେଖା ହେଉଛି ମହାନଦୀ । 15ଟି ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀର ଜଳ ଆଜି ସଙ୍କଟରେ । ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ଏବଂ ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କରିଥିବାରୁ ହୀରାକୁଦରେ ଜଳସ୍ତର ହ୍ରାସ ପାଉଛି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା । ଦୁଇ ରାଜ୍ୟ ମଧ୍ୟରେ ଏହି ଜଳ ଆବଣ୍ଟନ ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ହେଲେ ଏହାର ସମାଧାନ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରନି । ଫଳରେ ମହାନଦୀ ଏବେ ମୃତପ୍ରାୟ ହେବାକୁ ବସିଲାଣି ।
‘ହସ୍ତକ୍ଷେପ କରନ୍ତୁ ପ୍ରଧାନମନ୍ତ୍ରୀ’:ହୀରାକୁଦରେ ଜଳସ୍ତର କମୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର କମିବା ରାଜ୍ୟ ପାଇଁ ଏକ ଗମ୍ଭୀର ବିଷୟ । 2016ରୁ ଛତିଶଗଡ଼ ଓଡିଶା ଜଳ ବିବାଦ ପଦାକୁ ଆସିଲା ପରେ ଛତିଶଗଡ଼ର ଦାଦାଗିରି ଫଳରେ ଓଡ଼ିଶା ସରକାର ଟ୍ରିବ୍ୟୁନାଲ କରି ନ୍ୟାୟ ଆଶାରେ ବସିଛନ୍ତି । ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ମହାନଦୀ ବିନା ଓଡ଼ିଶା ବଞ୍ଚିପାରିବ ନାହିଁ । ଏ ସମ୍ପର୍କରେ ଠିକଣା ଭାବେ ଆଲୋଚନା ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ ଏ ସମ୍ପର୍କରେ ବିଚାରବିମର୍ଷ କରିବା ଆବଶ୍ୟକ । ଓଡ଼ିଶାର ଲୋକେ ଓଡିଆ ଅସ୍ମିତା ସହ ମହାନଦୀର ଜଳ ମଧ୍ୟ ଆବଶ୍ୟକ କରନ୍ତି । କେନ୍ଦ୍ର ସରକାର ଦୁଇ ରାଜ୍ୟ ଭିତରେ ସମସ୍ୟାର ସମାଧାନ କରିବା ଆବଶ୍ୟକ । ଛତିଶଗଡ଼ ମନୋମୁଖୀ ନିର୍ମାଣ ପ୍ରତିବନ୍ଧକ ସାଜିଛି । ସମାଧାନର ସୂତ୍ର ନେଇ ଆନ୍ତରିକତା ବାହାର କରିପାରିଲେ ନାହିଁ । ମହାନଦୀରେ ଜଳ ସଙ୍କଟ, ସବୁ ନଈରେ ଜଳ ସଙ୍କଟ, ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ । ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀ ନିଜେ ଦାୟିତ୍ୱ ନେଇ ସମାଧାନ କରନ୍ତୁ ।’’
2016ରୁ ଚାଲିଛି ମାମଲା:2016 ମସିହାରେ ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଜଳ ବିବାଦ ସାମ୍ନାକୁ ଆସିଥିଲା । 2017ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ 2018 ମସିହାରେ ଗଠନ ହେଲା ଟ୍ରିବ୍ୟୁନାଲ । ହେଲେ ଯାହା ଆଶା କରାଯାଉଥିଲା, ସେପରି କିଛି ଠୋସ ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିନି । ମାତ୍ର ଟ୍ରିବ୍ୟୁନାଲରେ ମାମଲା ଗଡିଚାଲିଛି ।
ରମଣ ସିଂହଙ୍କ ସରକାର ସମୟରେ ନିର୍ମାଣ ହୋଇଥିଲା ବ୍ୟାରେଜ:ମଧ୍ୟ ପ୍ରଦେଶର ବାହାରି ଛତିଶଗଡ ଓ ପରେ ଓଡିଶା ହୋଇ ବଙ୍ଗୋପସାଗରେ ମିଶିଥିବା ମହାନଦୀର ତଳମୁଣ୍ଡରେ ରହିଛି ଓଡିଶା । ରାଜ୍ୟର ସର୍ବବୃହତ୍ତ ନଦୀ ହେଉଛି ମହାନଦୀ । ସମ୍ବଲପୁରରେ ଏହି ମହାନଦୀ ଉପରେ ନିର୍ମାଣ ହୀରାକୁଦ ନଦୀବନ୍ଧ ବିଶ୍ବର ଦୀର୍ଘତମ ନଦୀବନ୍ଧ । ହେଲେ ଏହାର ଉପର ମୁଣ୍ଡରେ ରହିଛି ଛତିଶଗଡ । ଛତିଶଗଡରେ ମହାନଦୀ ଉପରେ ଏକାଧିକ ଆନିକଟ, ବନ୍ଧ, ଡ୍ୟାମ ନିର୍ମାଣ କରାଯାଇଛି । ଏଗୁଡିକ ମଧ୍ୟରେ କଲମା, ଶିରୋମଣି ଭଳି ବଡ଼ ବଡ଼ ବ୍ୟାରେଜ ମଧ୍ୟ ରହିଛି । ଫଳରେ ତଳମୁଣ୍ଡରେ ମହନଦୀରେ ଜଳପ୍ରବାହ ହ୍ରାସ ପାଇଲା । ଏବେ ହୀରାକୁଦରେ ଜଳସ୍ତର ସ୍ବାଭାବିକ ଠାରୁ 3.8 ଫୁଟ କମ ରହିଛି ।
ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି:ମହାନଦୀ କୌଣସି ଗୋଟିଏ ରାଜ୍ୟର ଅଧିକାର କ୍ଷେତ୍ର ନୁହେଁ । ହୀରାକୁଦକୁ ପାଣି ଆସିବା ଏବଂ ତଳମୁଣ୍ଡରେ ପାଣି ପ୍ରବାହିତ ହେବା । ହୀରାକୁଦର ଉପର ମୁଣ୍ଡରେ କଲମା ବ୍ୟାରେଜ ନିର୍ମାଣ ଯୋଗୁ ମହାନଦୀରେ ପାଣି ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ‘ରାଇପରିଆନ ରାଇଟ୍ସ’ ନିୟମ ଆଧାରରେ ନଦୀର ତଳମୁଣ୍ଡରେ ଯେଉଁ ରାଜ୍ୟ ଥିବ ତାର ବିନା ଅନୁମତିରେ ଉପରେ ମୁଣ୍ଡରେ କୌଣସି ନିର୍ମାଣ କରି ପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେଇ ସମାଧାନର ସୂତ୍ର ବାହାର କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ରବି ଦାସ ।